ସମ୍ବଲପୁର: ଜଣେ ୧୪ ବର୍ଷିୟା ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରିବା ଘଟଣାରେ ସମ୍ବଲପୁର ପୋକସୋ କୋର୍ଟ ଜଣେ ଅଭିଯୁକ୍ତକୁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତକୁ ୨୦ ବର୍ଷ ଜେଲ ସହିତ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ମାନ୍ୟବର ପୋକସୋ କୋର୍ଟ ବିଚାରପତି ଅଭିଳାଷ ସେନାପତି ଏହି ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ଜଣକ ହେଲା ଅନୁଗୁଳ ଜିଲ୍ଲାର ପପୁନ ବେହେରା । ଏନେଇ ସରକାରୀ ଓକିଲ ସନ୍ତୋଷ କୁମାର ପଣ୍ଡା ସୂଚନା ଦେଇଛନ୍ତି ।
ପପୁନ ଅନୁଗୁଳରୁ ଆସି ସମ୍ବଲପୁରର ରେଙ୍ଗାଲି ଥାନା ଅଞ୍ଚଳରେ ରହି ଏକ କମ୍ପାନୀରେ କାମ କରୁଥିଲା । ଗତ ୨୦୨୧, ସେପ୍ଟେମ୍ବର ୩ରେ ଅଭିଯୁକ୍ତ ପପୁନ ବେହେରା ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୪ ବର୍ଷିୟା ନାବାଳିକାକୁ ଅପହରଣ କରି ହାଇଦ୍ରାବାଦ ନେଇ ଯାଇଥିଲା । ସେଠାରେ ଏକ ଭଡ଼ା ଘରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲା, ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଇଥିଲା । ତେବେ ନାବାଳିକା ଜଣକ କୌଣସି ମତେ ନିଜ ପରିବାରକୁ ଯୋଗାଯୋଗ କରିଥିଲା । ଏହା ପରେ ନାବାଳିକାର ପରିବାର ଲୋକ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଏକ ସ୍ୱତନ୍ତ୍ର ଟିମ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା ।
ଆଜି ଏହି ମାମଲାରେ ସମ୍ବଲପୁର ମାନ୍ୟବର ପୋକସୋ କୋର୍ଟ ମାମଲାର ଶୁଣାଣି କରିଛନ୍ତି । ମାମଲାରେ ଶୁଣାଣି କରି ବିଚାରପତି ଅଭିଳାଷ ସେନାପତି ଅଭିଯୁକ୍ତକୁ ୧୩ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ୨୦ ବର୍ଷ ଜେଲଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।