ଗ୍ରାମ ପଞ୍ଚାୟତ ସ୍ତରରୁ ଲୋକଙ୍କୁ ସୁବିଧାଜନକ ପରିବହନ ଯୋଗାଇଦେବା ପାଇଁ ଲୋକେସନ-ଆକ୍ସେସିବଲ୍ ମଲ୍ଟିମୋଡାଲ୍ ଇନିସିଏଟିଭ୍ (LACCMI) ଆରମ୍ଭ କରିବାକୁ ସରକାରଙ୍କ ପଦକ୍ଷେପକୁ ବିରୋଧ କରି ଅକ୍ଟୋବର ୧୦ରୁ ସମସ୍ତ ଓଡିଶା ବସ୍ ମାଲିକ ସଂଘ ଏକ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛନ୍ତି। ରାଜଧାନୀ LACCMI ଯୋଜନା ଅନୁଯାୟୀ, ସମସ୍ତ ଗ୍ରାମ ପଞ୍ଚାୟତ, ବ୍ଲକ ମୁଖ୍ୟାଳୟ, ଜିଲ୍ଲା ମୁଖ୍ୟାଳୟ, ପ୍ରମୁଖ ସହର ଏବଂ ଅର୍ଥନୈତିକ ହବକୁ ସଂଯୋଗ କରିବା ପାଇଁ ପ୍ରାୟ ୧୦୦୦ ବସ୍ ନିୟୋଜିତ ହେବ। ତେଣୁ ଏହାକୁ ତୀବ୍ର ନିନ୍ଦା କରି ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ସାଧାରଣ ପରିଷଦରେ ଏକ ନିଷ୍ପତ୍ତି ନିଆଯାଇଛି ଯେଉଁଥିରେ ଅକ୍ଟୋବର ୧୦ରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ କରିବେ।
ଆସୋସିଏସନ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ଅକ୍ଟୋବର ୨ରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୪ଘଣ୍ଟା ପର୍ଯ୍ୟନ୍ତ କୌଣସି ବସ୍ ଚଳାଚଳ କରିବ ନାହିଁ ଏବଂ ପରେ ସାରା ଓଡିଶାରେ ବସ ଚଳାଚଳ ବନ୍ଦ ହେବ। ସାହୁ ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଯଦି ଆମର ଦାବି ପୂରଣ ନହୁଏ ତେବେ ଅକ୍ଟୋବର ୧୦ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ପାଳନ କରିବୁ। ଓଡିଶାର ଜନସାଧାରଣ ପରିବହନ ପ୍ରାୟତ ଘରୋଇ ବସ୍ ଉପରେ ନିର୍ଭରଶୀଳ | ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍ ଯୋଜନାକୁ ପରିଷଦରେ ତୀବ୍ର ବିରୋଧ କରାଯାଇଛି। ଯେହେତୁ ଆସନ୍ତା ୨ ତାରିଖରେ ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହେବ, ତେଣୁ ସେଦିନ କେବଳ ଅବିଭକ୍ତ କୋରାପୁଟ ଜିଲ୍ଲାର ୪ଟି ଜିଲ୍ଲା ଯଥାକ୍ରମେ କୋରାପୁଟ, ମାଲକାନଗିରି, ଜୟପୁର ଓ ନବରଙ୍ଗପୁରକୁ କୌଣସି ଘରୋଇ ବସ୍ ଚଳାଚଳ କରିବ ନାହିଁ। ତା’ପରେ ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଚାଲିବ।
ଗାଁରୁ ବ୍ଲକ ହେଡ୍କ୍ୱାର୍ଟରକୁ ଯାତ୍ରୀ ପରିବହନ ସୁଗମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର 'ଲକ୍ଷ୍ମୀ ବସ୍ ଯୋଜନା' ଆରମ୍ଭ କରିବାକୁ ଯାଉଛନ୍ତି। ଯାହାକି ଘରୋଇ ବସ୍ ମାଲିକଙ୍କୁ ଘୋର କ୍ଷତି ପହଞ୍ଚାଇବା ସହ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର କର୍ମଚାରୀଙ୍କ ପେଟ ପାଟଣାକୁ ଲାତ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ। ଅଲ ଓଡିଶା ବସ୍ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଲକ୍ଷ୍ମୀ ଯୋଜନାରେ ବସ୍ ନକିଣି ଆମ ବସ୍ ଗୁଡ଼ିକୁ ଲିଜ୍ରେ ନେଇ ଚଲାଇବାକୁ କହିଥିଲୁ। ଦୀର୍ଘ ୩ ମାସ ହେଲା ସରକାରଙ୍କ ସହିତ ଏହା ଉପରେ ଆଲୋଚନା ମଧ୍ୟ କରିଥିଲୁ। ହେଲେ ରାଜ୍ୟ ସରକାର ତାହା ଉପରେ କିଛି ବିଚାର କଲେନାହିଁ। ସେପଟେ ଲକ୍ଷ୍ମୀ ଯୋଜନାରେ ବସ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି ସରକାର। ମୋ’ ବସ୍ ଓ ଲକ୍ଷ୍ମୀ ବସ୍ ପାଇଁ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ନଆସିଲା ପର୍ଯ୍ୟନ୍ତ ବସ୍ ଧର୍ମଘଟ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।
ଅଧିକ ପଢ଼ନ୍ତୁ : ବସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର