ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ତେଲିଭଟା, ହନୁମାନ ମନ୍ଦିର ନିକଟରେ ଜଣେ ଯୁବକକୁ ପୋଲିସ ବ୍ରାଉନ୍ସୁଗାର ସହିତ ଗିରଫ କରିଛି । ଅଭିଯୁକ୍ତର ନାମ ଛୋଟୁ ସେନ୍ଦ୍ରିଆ ବୋଲି ଜଣା ପଡିଥିବା ବେଳେ ତା ନିକଟରୁ ୧୮.୨୯ ଗ୍ରାମ ଓଜନର ବ୍ରାଉନ୍ସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଅଭିଯୁକ୍ତ ନାମରେ ପୂର୍ବରୁ ବି ଅନେକ ଅପରାଧିକ ମାମଲା ରହିଥିବା ଜଣାପଡିଛି ।
ସୂଚନା ଅନୁସାରେ, ତେଲିଭଟା ଅଞ୍ଚଳକୁ ବ୍ରାଉନସୁଗାର ଆସୁଥିବା ନେଇ ପୋଲିସ ସୂଚନା ପାଇଥିଲା । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ସନ୍ଧ୍ୟାରେ ସଦର ଥାନାଧିକାରୀ ସ୍ଵପ୍ନାରାଣୀ ଗୋଚ୍ଛାୟତ ଏକ ଟିମ୍ ସହ ତେଲିଭଟା ହନୁମାନ ମନ୍ଦିର ନିକଟରେ ଛକି ରହିଥିଲେ। ଏହି ସମୟରେ ଛୋଟୁ ବ୍ରାଉନ୍ସୁଗାରକୁ ଡେଲିଭରି ଦେବାକୁ ହନୁମାନ ମନ୍ଦିର ନିକଟରେ ଅପେକ୍ଷା କରିଲା । ଛୋଟୁ ସନ୍ଦିଗ୍ଧ ଅବସ୍ଥାରେ ବୁଲାବୁଲି କରୁଥିବାରୁ ପୋଲିସ ଟିମ୍ ତାକୁ ମାଡ଼ି ବସିଥିଲା । ଯାଞ୍ଚ ସମୟରେ ଛୋଟୁ ପିନ୍ଧିଥିବା ଜ୍ୟାକେଟ୍ରେ ଥିବା ଏକ ଛୋଟ ପଲିଥିନ୍ରୁ ୨୫୦ଟି ପ୍ୟାକେଟ୍ରେ ଭର୍ତ୍ତି ହୋଇଥିବା ବ୍ରାଉନ୍ସୁଗାର ଏବଂ ୫୨ଟି ଖାଲି ପ୍ୟାକେଟ୍ ମିଳିଥିଲା । ପୁଲିସ୍ ଉକ୍ତ ବ୍ରାଉନସୁଗାରର ଓଜନ କରିବା ପରେ ତାହା ୧୮.୨୯ଗ୍ରାମ ଥିବା ଜଣାପଡ଼ିଥିଲା । ତବେ ଜବତ ବ୍ରାଉନସୁଗାରର ମୂଲ୍ୟ ହାରାହାରି ୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।
ଅଧିକ ପଢନ୍ତୁ : ୧୫ କୋଟିରୁ ଅଧିକ ଟଙ୍କାର ନିଶା ସାମଗ୍ରୀ ଜବତ କରିଛି ଆସାମ ରାଇଫଲ୍ସ