ପୁଣି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦ରୁ ଦୁଇ ଦିନିଆ ଗସ୍ତରେ ଆସିବାର ସମ୍ଭାବନା ରହିଛି । ନିଜ ଜିଲ୍ଲା ତଥା ଜନ୍ମମାଟି ଓ କର୍ମଭୂମି ରାଇରଙ୍ଗପୁରକୁ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ହେଲେ ପ୍ରାପ୍ତ ସୂଚନା ଅନୁସାରେ ରାଷ୍ଟ୍ରପତି ଆସନ୍ତା ୨୦ ତାରିଖରେ ପ୍ରଥମେ ବାରିପଦାରେ ପହଞ୍ଚି ସାନ୍ତାଳୀ ରାଇଟର୍ସ ଏସୋସିଏସନର ଏକ ସ୍ୱତନ୍ତ୍ର ସମ୍ମିଳନୀ ଓ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ରହିଛି। ସେଠାରୁ ହେଲିକପ୍ଟର ଯୋଗେ ରାଇରଙ୍ଗପୁରରେ ପହଞ୍ଚିବେ। ରାଇରଙ୍ଗପୁରରେ ସ୍ଥାନୀୟ ଲୋକଙ୍କୁ ଭେଟିବେ ଓ ରାତ୍ରି ଯାପନ କରିବେ।
ତାପରେ ୨୧ ତାରିଖ ସକାଳେ ଶ୍ରୀମତୀ ମୁର୍ମୁ ବାଦାମପାହାଡ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାଦାମପାହାଡରେ ରେଳ ମନ୍ତ୍ରଣାଳୟ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ଏହାବ୍ୟତୀତ ପାହାଡପୁରରେ ଏଲଏଣ୍ଡଟି ଦ୍ବାରା ସ୍କିଲ ହବ୍, ରାଇରଙ୍ଗପୁର ପୋଷ୍ଟାଲ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ପ୍ରୋଜେକ୍ଟର ଉଦଘାଟନ କରିବା ନେଇ ସମ୍ଭାବନା ରହିଛି । ପୂର୍ବରୁ ପୂଜା ଭେଟି ସ୍ୱରୂପ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଦାମପାହାଡରୁ ଶାଲିମାର, ବାଦାମପାହାଡରୁ ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଟ୍ରେନ୍ ଓ ବାଦାମପାହାଡରୁ ଟାଟାନଗର ଦୈନିକ ଟ୍ରେନର ଚଳାଚଳ ନେଇ ଘୋଷଣା କରିଥିଲେ। ଏଥିପାଇଁ ଦକ୍ଷିଣ ପୂର୍ବ ରେଳ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ : ଆଜି ଶପଥ ଗ୍ରହଣ କରିବେ ନୂଆ ରାଜ୍ୟପାଳ