ସମ୍ବଲପୁର: ଜଙ୍ଗଲକୁ ଶିକାରୀ ମାନେ ବନ୍ୟଜନ୍ତୁ ଶିକାର କରିବାକୁ ଯାଇଥିବା ବେଳେ ଶିକାରୀଙ୍କ ଯୋଜନାକୁ ପଣ୍ଡ କରି ମାଡ଼ି ବସିଲା ବନବିଭାଗ। ଏହି ଘଟଣାରେ ୨ ଜଣ ଶିକାରୀଙ୍କୁ ଗିରଫ କରିବା ସହ ଗୋଟିଏ ବନ୍ଧୁକକୁ ମଧ୍ୟ ଜବତ କରାଯାଇଛି। ସୁଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଚାରମାଳ ବନ ବିଭାଗ ରେଞ୍ଜର ସୁହାଣି ସଂରକ୍ଷିତ ଜଙ୍ଗଲକୁ ଶିକାରୀମାନେ ଶିକାରରେ ଯାଇଥିବା ଖବର ପାଇବା ପରେ ବନବିଭାଗ ପକ୍ଷରୁ ଚଢାଉ କରି ଚାରମାଳ ଥାନା ବଡ ହିନ୍ଦୋଳ ଗ୍ରାମର କୃଷ୍ଣ ଭୋଇ ଏବଂ ଚାଟୁଣି ଗ୍ରାମର ସୁରେଶ ମୁଣ୍ଡା ନାମକ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି।
ତେବେ ପୁର୍ବରୁ ମଧ୍ୟ ଗତ ଅଗଷ୍ଟ ୨୩ରେ ଗିରଫ ଅଭିଯୁକ୍ତ କୃଷ୍ଣ ଭୋଇ ବନ୍ୟଜନ୍ତୁ ଶିକାର କରିଥିବା ନେଇ ଚାରମାଳ ରେଞ୍ଜ ଅଧିକାରୀ ବିଶେଷ ସୂତ୍ରରୁ ସୁଚନା ପାଇବା ପରେ ତାଙ୍କ ଘରେ ଚଢ଼ଉ କରିଥିଲେ। ତେବେ ସେହି ସମୟରେ ଚଢ଼ଉ ବେଳେ ଅଭିଯୁକ୍ତ କୃଷ୍ଣ ଭୋଇଙ୍କ ଘରୁ ୨ଟି ହରିଣ ମୁଣ୍ଡ ୨ଟି ହରିଣ ଚମଡ଼ା, ୮ଟି ଗୋଡ, ଗୋଟିଏ ଦେଶୀବନ୍ଧୁକ, ଗୁଳି, ବାରୁଦ ଓ ଏକ ଲାଇଟ ଜବତ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଅନ୍ୟପକ୍ଷରେ ବନ ବିଭାଗ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ପୁଣି ଅଭିଯୁକ୍ତ କୃଷ୍ଣ ତାଙ୍କ ସହଯୋଗୀ ସୁରେଶ ସହ ଶିକାର ପାଇଁ ସୁହାଣି ସଂରକ୍ଷିତ ଜଙ୍ଗଲକୁ ଯାଇଥିବା ନେଇ ଖବର ପାଇ ରେଞ୍ଜ ଅଧିକାରୀଙ୍କ ସମେତ ବନ କର୍ମଚାରୀମାନେ ଚଢ଼ଉ କରି ଦୁଇ ଶିକରୀଙ୍କୁ ଗିରଫ କରିଥିବା ନେଇ ଜଣାପଡିଛି।