ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ଆଜି ସକାଳ ୧୦ଟା ସମୟରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡକ୍ଟର ମନୋରମା ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରମୁଖ ବାର୍ତ୍ତା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ଅବପାତର ରୂପ ନେଇଛି। ଏହା ବର୍ତମାନ ପାରାଦୀପ ଠାରୁ ୭୩୦ କିମି ଦୂରରେ ରହିଥିବା ବେଳେ, ପଶ୍ଚିମବଙ୍ଗ ଉପକୂଳରୁ ୭୭୦ କିମି ଦୂରରେ ଓ ବାଂଲାଦେଶ ଉପକୂଳଠାରୁ ୭୪୦ କିମି ଦୂରରେ ରହିଛି।
୨୩ ଅକ୍ଟୋବର ସୁଦ୍ଧା ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଅଧିକ ଘନୀଭୂତ ହେବା ସହ ବାତ୍ୟାର ରୂପ ନେବ। ଆଗକୁ ଆହୁରି ଅଧିକ ଘନୀଭୂତ ହେବା ପରେ ଭୀଷଣ ବାତ୍ୟାର ରୂପ ନେବ। ଏହା ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ଗତି କରିବାକୁ ନେଇ ପୂର୍ବାନୁମାନ କରାଯାଉଛି। ୨୪ ଅକ୍ଟୋବର ରାତ୍ରିରେ ତଥା ୨୫ ଅକ୍ଟୋବର ପ୍ରାତଃ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡିଶା ତଥା ପଶ୍ଚିମବଙ୍ଗ ଉପକୂଳ ଦେଇ ସ୍ଥଳ ଭାଗରେ ପ୍ରବେଶ କରିବ। ସ୍ଥଳ ଭାଗରେ ପ୍ରବେଶ କରିବା ସମୟରେ ପବନର ବେଗ ୧୦୦ ରୁ ୧୨୦ କିମି ପ୍ରତି ଘଣ୍ଟା ରହିବ।
ଉପକୂଳବର୍ତ୍ତୀ ଅଞ୍ଚଳରେ ୨୩ ତାରିଖ ରାତିରୁ ବିଜୁଳି ଓ ଘଡ଼ଘଡ଼ି ସମେତ ବର୍ଷାର ପରିମାଣ ଅଧିକ ରହିବ। ୨୩ ଅକ୍ଟୋବର ରାତିରୁ ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୪ ଅକ୍ଟୋବର ସକାଳୁ ପୁରୀ ଜିଲ୍ଲା ତଥା ଏହାର ଆଖପାଖ ଅଞ୍ଚଳରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଜିଲ୍ଲାକୁ ରେଡ ୱାର୍ନିଙ୍ଗ ଜାରି କରାଯାଇଛି।
ଏହି ସମୟରେ ରାଜ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲା ତଥା ଆଖପାଖ ଅଞ୍ଚଳରେ ଅତିରୁ ଅତି ପ୍ରବଳ ବର୍ଷା ଲାଗିରହିବ। ମସ୍ଥ୍ୟଜୀବି ମାନଙ୍କୁ ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ପ୍ରବେଶ ନିମନ୍ତେ ବାରଣ କରାଯାଇଛି। ଏନେଇ ସତର୍କ ସୂଚନା ଜାରି ହୋଇଛି।