ଭୁବନେଶ୍ୱର: କେତେ ଭୟଙ୍କର ହୋଇପାରେ ଅନ୍ଲାଇନ ଗେମର ନିଶା । ଅନଲାଇନ ଗେମରେ ସର୍ବସ୍ୱ ବାଜି ଲଗାଇବାକୁ ମଧ୍ୟ ପଛାଉନାହାନ୍ତି ଯୁବବର୍ଗ । ଜୁଆରେ ଅଧିକା ଟଙ୍କା ଜିତିବା ଲୋଭରେ ଏତେ ଅନ୍ଧ ପାଲଟି ଯାଉଛନ୍ତି ଲୋକେ ନିଜର କଷ୍ଟାର୍ଜିତ ଧନକୁ ମଧ୍ୟ ବାଜିରେ ଲଗାଇବାକୁ ପଛାଉନାହାନ୍ତି । ଏହିପରି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲାର ବିଦ୍ୟାଧରପୂର ଅଞ୍ଚଳରେ । ଅନଲାଇନ ଗେମ ନିଶାରେ ପଡ଼ି ୯୧ ଲକ୍ଷ ଟଙ୍କା ହରାଇଛନ୍ତି ଯୁବକ ।
ଯୁବକ ଜଣକ ଧୀରେନ୍ଦ୍ର କୁମାର ପଟ୍ଟନାୟକ । ଯାଜପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୂର ଅଞ୍ଚଳର ବାସିନ୍ଦା ଅଟନ୍ତି । ସୂତ୍ରରୁ ପ୍ରକାଶ ସେ ଦମନ ନାମକ ଏକ ଗେମିଂ ସଂସ୍ଥାରେ ୯୧ ଲକ୍ଷ ଟଙ୍କା ଲଗାଇ ହରାଇଛନ୍ତି । ସେ ପ୍ରଥମେ ୫୦୦ ଟଙ୍କା ଲଗାଇବା ଆରମ୍ଭ କରିଥିଲେ । ୫୦୦ ଟଙ୍କାରେ ପ୍ରଥମେ ସେ କିଛି ଅର୍ଥ ଜିତିଥିଲେ । ଯାହା ଦ୍ୱାରା ଲୋଭର ବଶବର୍ତ୍ତୀ ହୋଇ ସେ ଅଧିକରୁ ଅଧିକ ଟଙ୍କା ଲଗାଇଥିଲେ ମାତ୍ର ଶେଷରେ ସବୁ ଟଙ୍କା ହରାଇ ନିଃଶ୍ବ ପାଲଟିଛନ୍ତି ଯୁବକ ।
କେବଳ ୯୧ ଲକ୍ଷ ଟଙ୍କା ନୁହେଁ ଏହା ସହିତ ସେ ନିଜର ୯ ଗୁଣ୍ଠ ଜମି ୪୦୦ ଗ୍ରାମ ସୁନା ନିଜର ବଞ୍ଚାଇଥିବା ୧୦ ଲକ୍ଷ ଟଙ୍କା ଓ ଧାର ୧୦ ଲକ୍ଷ ଟଙ୍କା ମଧ୍ୟ ଏହି ସଂସ୍ଥାରେ ଲଗାଇଥିଲେ । ପରିଶେଷରେ ଏହି ସବୁ ହରାଇଛନ୍ତି ଯୁବକ ଜଣକ ।
ସବୁ ହରାଇସାରିବା ପରେ ନିରୁପାୟ ହୋଇ କ୍ରାଇମବ୍ରାଞ୍ଚ ଡିଜି, ସାଇବର ଥାନା ପୋଲିସ ଓ ଟାଉନ ଥାନା ପୋଲିସ ପାଖରେ ଅଭିଯୋଗ ଦାଏର କରିଛନ୍ତି ।