ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଷାଣ୍ମାସିକ ପରୀକ୍ଷା ଘୁଞ୍ଚିଛି। ସ୍କୁଲ ଛୁଟି ଘୋଷଣା କରାଯାଇଥିବାକୁ ପରୀକ୍ଷାକୁ ଘୁଞ୍ଚାଇବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ତାରିଖରୁ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଏଥିପାଇଁ ଅଷ୍ଟମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ଷାଣ୍ମାସିକ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି ।
ସୂଚନା ଅନୁଯାୟୀ,ଆସନ୍ତା ୨୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ଷାଣ୍ମାସିକ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ବର୍ତ୍ତମାନ ଏହି ପରୀକ୍ଷା ଯଥାକ୍ରମେ ଆସନ୍ତା ୧, ୨ ଓ ୪ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ସବୁ ସ୍କୁଲର ପ୍ରଧାନ ଶିକ୍ଷକ ତଥା ଅଭିଭାବକ ମାନଙ୍କୁ ସହଯୋଗ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।
ଏହା ପୂର୍ବରୁ ବାତ୍ୟାକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାଜ୍ୟ ସରକାର କଲେଜ୍ ଛୁଟି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଗତକାଲି ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। । ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଶ୍ଵ ବିଦ୍ୟାଳୟ ବନ୍ଦ ରଖିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସୋମବାର ସକାଳେ ୨୨ ତାରିଖରେ ଅବପାତରେ ପରିଣତ ହୋଇଛି। ୨୩ ତାରିଖ ସକାଳେ ଏହା ବାତ୍ୟାରେ ପରିଣତ ହେବ। ପରେ ଏହା ୨୪ ରାତି କିମ୍ବା ୨୫ ସକାଳେ ପୁରୀ ଓ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ରହିପାରେ । ଏହାରି ପ୍ରଭାବରେ ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।