ଭୁବନେଶ୍ଵର: ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଙ୍ଗଳବାର କଲେଜ ଛୁଟି ଘୋଷଣା କରିଛନ୍ତି। ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତ ୧୪ ଜିଲ୍ଲାରେ କଲେଜ ଓ ବିଶ୍ଵବିଦ୍ୟାଳୟ ବନ୍ଦ ରହିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜ ଓ ବିଶ୍ଵ ବିଦ୍ୟାଳୟ ବନ୍ଦ ରଖିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।
୧୪ଟି ଜିଲ୍ଲା ହେଉଛି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ। ପାଣିପାଗ ବିଭାଗ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ରହିପାରେ। ଏହାର ପ୍ରଭାବରେ ୧୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ।ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି କଲେଜ ଓ ବିଶ୍ଵ ବିଦ୍ୟାଳୟ ଛୁଟି ଘୋଷଣା କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖି ନିର୍ଦେବିଶ ଦିଆଯାଇଛି।
ସୂଚନାଯୋଗ୍ୟ, ଗତକାଲି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। ୨୩ରୁ ୨୫ ତାରିଖ ତିନି ଦିନ ବାତ୍ୟା ପ୍ରଭାବିତ ୧୪ ଜିଲ୍ଲା ତିନି ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ ସିଂ ସୋମବାର ସ୍କୁଲ ଓ ଗଣଶିକ୍ଷା କମିଶନରଙ୍କୁ ଚିଠି ଲେଖିଥିଲେ।