ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ସୋମବାର ପ୍ରଥମେ ଅବପାତରେ ପରିଣତ ହେବା ପରେ ଏବେ ଗଭୀର ଅବପାତର ରୂପ ନେଇଛି। ପାରାଦୀପଠାରୁ ୬୯୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି। ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପ ନେବ ଅବପାତ। ବର୍ତ୍ତମାନ ଘଣ୍ଟାକୁ ୭ କିମି ବେଗରେ ଗତି କରୁଛି ବାତ୍ୟା। ୨୪ରେ ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଅତିକ୍ରମ କରିବ। ପୁରୀ ଓ ସାଗରଦ୍ଵୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବ। ୨୪ ରାତି କିମ୍ବା ୨୫ ତାରିଖ ସକାଳେ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ।
ବାତ୍ୟାର ପ୍ରଭାବ ୧୪ ଜିଲ୍ଲାରେ ଅଧିକ ରହିବ। ଏସ୍ଆରସି ଦେଓ ରଂଜନ ସିଂ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ଯୋଗୁଁ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ଅଗ୍ନିଶମ, ଓଡ୍ରାଫ୍, ଏନ୍ଡିଆରଏଫ୍, ତଟରକ୍ଷୀ ବାହିନୀ, ନୌସେନା ଓ ବାୟୁସେନା ପ୍ରସ୍ତୁତ ରହିଛି।
ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଅନ୍ୟପଟେ ପ୍ରଭାବିତ ୧୪ ଜିଲ୍ଲାରେ ସ୍କୁଲ ଓ କଲେଜ୍ ଛୁଟି ଘୋଷଣା କରାଯାଇଛି। ପିଲାଙ୍କ ଷାଣ୍ମାସିକ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ରାଜସ୍ଵ ମନ୍ତ୍ରୀ କହିଛନ୍ତି, ସମ୍ବେଦନଶୀଳ ଅଞ୍ଚଳର ସମସ୍ତ ଲୋକଙ୍କୁ ସ୍ଥାନାନ୍ତର କରାଯିବ। କାଲି ସୂର୍ଯ୍ୟାସ୍ତ ପୂର୍ବରୁ ସମସ୍ତଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବ। ସେଥିପାଇଁ ବାତ୍ୟା ଆଶ୍ରୟସ୍ଥଳୀ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛି ବୋଲି କହିଛନ୍ତି।
ବାତ୍ୟା ପ୍ରଭାବ: ଯାତ୍ରା ପୂର୍ବରୁ ଜାଣି ରଖନ୍ତୁ, ୧୭୮ଟି ଟ୍ରେନ୍ ବାତିଲ୍