ଜଗତସିଂପୁର: ୧୯୯୯ ମହାବାତ୍ୟାର ଚିତ୍ର ମନରୁ ନ ଲିଭି ଥିବାବେଳେ ପୁଣି ଉପକୂଳିଆ ଲୋକଙ୍କୁ ଡରାଇଲାଣି ଦାନା । ବାତ୍ୟା ଦାନାକୁ ନେଇ ଉପକୂଳ ଜିଲ୍ଲା ବାସିନ୍ଦାଙ୍କ ମନରେ ଛନକା ପଶିଛି । ବାତ୍ୟା ସମୟରେ ବର୍ଷା ଏବଂ ପବନ ନେଇ ୯ଟି ଜିଲ୍ଲାକୁ ରେଡ୍ ଆଲର୍ଟରେ ରଖାଯାଇଛି । ଫଳରେ ସମୁଦ୍ର ଉପକୂଳବର୍ତୀ ଜିଲ୍ଲା ଜଗତସିଂପୁର ବାସିନ୍ଦା ଭୟଭୀତ ଅବସ୍ଥାରେ ରହିଛନ୍ତି । ଜିଲ୍ଲାର ଏରସମା ଉପକୂଳ ଅଞ୍ଚଳର ପଦ୍ମପୁର, ଗଡହରିସ ପୁର, ଆମ୍ବିକି, ଗଡବିସନ ପୁର, ଗୋଡା, ଜପା, ଅମ୍ବିକି ପଞ୍ଚାୟତର ଗ୍ରାମବାସୀମାନେ ବାତ୍ୟା ଖବର ଶୁଣିବା ପରେ ଆତଙ୍କିତ ହୋଇ ପଡ଼ିଛନ୍ତି ।
ଅନ୍ୟପକ୍ଷରେ ବାତ୍ୟା ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଉପ ଜିଲ୍ଲାପାଳ ଏବଂ ବିଡ଼ିଓ ଶିଆଳି ବେଳା ଭୂମି ତଥା ସମୁଦ୍ର ବେଳାଭୂମି ନିକବର୍ତ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଜିଲ୍ଲାରେ ସରକାରଙ୍କ ତରଫରୁ ଏନଡିଆରଡିଏଫ, ଓଡ୍ରାଫ ଟିମ୍ , ଅଗ୍ନିଶମ ବିଭାଗ ଏବଂ ପୋଲିସ ବିଭାଗ ପ୍ରସ୍ତୁତ ରହିଥିବା ସୂଚନା ମିଳିଛି ।