ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ସରକାରଙ୍କ ସମସ୍ତ ସଂପୃକ୍ତ ବିଭାଗ ପ୍ରସ୍ତୁତ। ଲଘୁଚାପ ଅବପାତରେ ପରିଣତ ହୋଇ ସାରିଥିବା ବେଳେ ଆଜି ଗଭୀର ଅବପାତରେ ପରିଣତ ହେବ । ଆସନ୍ତାକାଲି ବାତ୍ୟାର ରୂପ ନେବ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କମିଶନରେଟ୍ ପୋଲିସ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ।
ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି ବାତ୍ୟା ସମୟରେ ଲୋକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରାଯିବ । ଯେଉଁ ଅଞ୍ଚଳରେ ଲୋକମାନେ ପାଣି ଘେରରେ ଥିବେ ସେମାନେ ସାହାଯ୍ୟ ପାଇଁ ଯୋଗାଯୋଗ କରିପାରିବେ ବୋଲି ପୋଲିସ କମିଶନର କହିଛନ୍ତି । ବାତ୍ୟା ମୁକାବିଲା ପାଇଁ ଟୁଇନସିଟିର ସମସ୍ତ ପୋଲିସ ଷ୍ଟେସନ ପ୍ରସ୍ତୁତ ରହିଛି । ସବୁ ଥାନା ଅଧିକାରୀଙ୍କୁ ୨୪ ଘଣ୍ଟିଆ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେ କହିଛନ୍ତି, ସମସ୍ତ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି । ସେହିଭଳି ବିଭିନ୍ନ ଥାନା ଅଞ୍ଚଳରେ ଘଟୁଥିବା କଳାବଜାରୀ ଉପରେ ନଜର ରଖାଯିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୋଲିସ କମିଶନର ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ ସୋମବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖରେ ଅବପାତରେ ପରିଣତ ହୋଇଛି। ପରେ ଏହା ୨୩ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ। ପରେ ଏହା ୨୪ ରାତି କିମ୍ବା ୨୫ ସକାଳେ ପୁରୀ ଓ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ରହିପାରେ ।