ଓଡ଼ିଶାରେ ପ୍ରଳୟ ରଚିବ ବାତ୍ୟା ‘ଦାନା’ । ଓଡ଼ିଶା ଆଡକୁ ଏକମୁହାଁ ହୋଇ ମାଡି ଆସୁଛି ବାତ୍ୟା। ୨୪ ତାରିଖ ରାତିରୁ ୨୫ ତାରିଖ ପାହାନ୍ତି ପ୍ରହର ଭିତରେ ସ୍ଥଳଭାଗ ଛୁଇଁବ ‘ଦାନା’ । ଏନେଇ ଚିଲିକା ତଟବର୍ତ୍ତୀ ଅଂଚଳବାସୀ ଏବଂ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଏହି ଅବସରରେ ସୋମବାର ଖୋର୍ଦ୍ଧା ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଚିଲିକା ତଟବର୍ତ୍ତୀ ଅଞ୍ଚଳବାସୀ ଏବଂ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି।
ଏହାସହ ଆସନ୍ତା ୨୫ତାରିଖ ଯାଏ ଚିଲିକାରେ ଯାତ୍ରୀବାହୀ ଏବଂ ମାଛଧରା ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ଆଶ୍ରୟସ୍ଥଳଗୁଡ଼ିକରେ ଆଲୋକ, ପାନୀୟଜଳ, ଶୁଖିଲା ଏବଂ ରନ୍ଧାଖାଦ୍ୟର ବ୍ୟବସ୍ଥା ସହ ପ୍ରସୂତି ମହିଳା, ନବଜାତ ଶିଶୁ, ମା’ମାନଙ୍କୁ ନିକଟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯିବ ବୋଲି ଏନ୍ଏସି କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ସୂଚନା ଦେଇଛନ୍ତି।