ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଜୋର ଦାର ଚାଲିଛି । ସରକାରଙ୍କ ଫୋକସରେ ରହିଛି ଶୂନ୍ୟ ମୃତ୍ୟୁହାର । ଏଥିଲାଗି ଅଧିକ ଏନଡିଆରଏଫ ଟିମ୍ ମାଗିଛନ୍ତି । ଏ ନେଇ ଆଜି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ଅତିରିକ୍ତ ୧୦ଟି ଏନଡିଆରଏଫ ଟିମ ପଠାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଆଇନଶୃଙ୍ଖଳା ଏଡ଼ିଜିଙ୍କୁ ଚିଠି ଲେଖି ଅଵଗତ କରିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା ।
ବାତ୍ୟା ‘ଦାନା’ର ମୁକାବିଲା ଲାଗି ୧୦ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ୧୭ ଓଡ୍ରାଫ ଟିମ ନିୟୋଜିତ ହେବେ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ଵର ଏବଂ ମୟୁରଭଞ୍ଜ ୨ଟି ଲେଖାଏଁ ଟିମ୍ ନିୟୋଜିତ କରାଯିବ । ସେହିପରି ଗଞ୍ଜାମ, କଟକ ଓ ଯାଜପୁରରେ ୧ ଟିମ ନିୟୋଜିତ ହୋଇଛନ୍ତି । ଏହା ଛଡ଼ା କଟକର ଓଏସଏପି ବାଟାଲିଅନର ଟିମ୍ ମଧ୍ୟ ନିୟୋଜିତ ହେବେ । ତେଣେ ୩ ଓଡ୍ରାଫ ଟିମ ରିଜର୍ଭ ରଖିବା ଲାଗି ବି ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ କେନ୍ଦ୍ର ସରକାର ଏନଡିଆରଏଫର ପଶ୍ଚିମବଙ୍ଗକୁ ୧୪ଟି ଏବଂ ଓଡ଼ିଶା ପାଇଁ ୧୧ଟି ଟିମ୍ ମୁତୟନ କରିଛନ୍ତି ।
ଆଜି ସକାଳେ ଅବପାତରେ ପରିଣତ ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହେବ । ଆସନ୍ତାକାଲି ସକାଳେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ୨୪ ତାରିଖ ରାତି ଓ ୨୫ ତାରିଖ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ । ପୁରୀରୁ ସାଗରଦ୍ୱୀପ ମଧ୍ୟରେ ଏହାର ପ୍ରଭାବ ରହିବ ।