ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ସରକାରଙ୍କ ସମସ୍ତ ସଂପୃକ୍ତ ବିଭାଗ ପ୍ରସ୍ତୁତ। ତେବେ ବାତ୍ୟା ଖବର ଶୁଣିଲେ ସାଧାରଣତଃ ଜନ ସାଧାରଣ ଛାନିଆ ହୋଇ ପଡନ୍ତି । ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢିଯାଏ । ଆଳୁ ଓ ପିଆଜର ଅହେତୁକ ଭାବେ ଦରବୃଦ୍ଧି ଘଟିଥାଏ । ତେବେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ । ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି ବୋଲି ମଙ୍ଗଳବାର କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ସେ କହିଛନ୍ତି, ବାତ୍ୟାରେ ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଅଯଥା ଭୟଭୀତ ହୁଅନ୍ତୁ ନାହିଁ । ଅପରାହ୍ଣ ୪ଟାରେ ବ୍ୟବସାୟୀଙ୍କ ସହ ବୈଠକ ବସିବ । ଏମିତି ସମୟରେ ସରକାରଙ୍କୁ ସହଯୋଗ କରିବାକୁ ସେମାନଙ୍କୁ ନିବେଦନ କରାଯିବ । ବଜାରରେ ଖାଦ୍ୟ ପଦାର୍ଥର କଳାବଜାରୀ ଯେମିତି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମହଜୁଦକାରୀଙ୍କୁ ହୋଡିଂ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ଏହି ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରିବେ କି ଲୋକଙ୍କୁ ହଇରାଣ କରିବେ, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁଠି କଳାବଜାରୀର ଖବର ଆସିବା ତୁରନ୍ତ ସେଠାରେ ଚଢ଼ାଉ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିଛି ଜାଗାରେ ଚଢ଼ାଉ ମଧ୍ୟ ହୋଇଛି । ଏହି ପରିସ୍ଥିତିର ଅନାବଶ୍ୟକ ଫାଇଦା ଉଠାଇବାକୁ କାହାକୁ ସୁଯୋଗ ଦିଆଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।