ଭୁବନେଶ୍ୱର: ବାତ୍ୟା ନେଇ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଲୋକଙ୍କ ସୁରକ୍ଷାକୁ ନଜର ରଖି ସରକାର ସମସ୍ତ ଲୋକାଲ ପରୀକ୍ଷାକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ଏ ନେଇ ରାଜସ୍ୱ ମନ୍ତ୍ରୀ ମଙ୍ଗଳବାର ଘୋଷଣା କରିଛନ୍ତି ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ୨୫ ତାରିଖ ସକାଳ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିନ । ପାରାଦୀପ ଠାରୁ ୭୩୦ କିମି ଦୂରରେ ବାତ୍ୟା ଅଛି । ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବହିପାରେ । ଜିଲ୍ଲା ପ୍ରଶାସନ ସହ ଆମେ ସମ୍ପର୍କରେ ଅଛୁ । ୨୫୦ ରିଲିଫ୍ ସେଣ୍ଟର ପ୍ରସ୍ତୁତ । ସ୍ଥାନାନ୍ତରିତ ହେବାକୁ ଥିବା ଲୋକଙ୍କ ଚିକିତ୍ସା, ରନ୍ଧା ଖାଦ୍ୟ, ଗର୍ଭବତୀ ମହିଳାଙ୍କ ତାଲିକା ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରିଛି । ଡାକବାଜି ଯନ୍ତ୍ରରେ ସଚେତନ କରାଯାଉଛି । ପୋଲିସ ପାଟ୍ରୋଲିଂ ହେବ । ଅବପାତ ପାଇଁ ଗ୍ରାଉଣ୍ଡ ଜିରୋରେ ସମସ୍ତ ପ୍ରସ୍ତୁତି ସରିଛି । ପଲିଥିନ ଆବଶ୍ୟକ ହେଲେ ସବୁ ଜିଲ୍ଲାରେ ପଲିଥିନ ଗଚ୍ଛିତ କରାଯାଇଛି ।
ସେହିପରି ବାତ୍ୟାର ଦିଗ ବଦଳିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତି କରିଛନ୍ତି । ୯ଟି ଜିଲ୍ଲାରେ ରେଡ୍ ଆଲର୍ଟ ଓ ବାକି ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଛି । ଯେଉଁମାନେ ବିଗତ ବାତ୍ୟା ସମୟରେ ଜିଲ୍ଲାପାଳ, ଏଡିଏମ୍ ଓ ବିଡ଼ିଓ ଭାବେ କାର୍ଯ୍ୟ କରିଛନ୍ତି ତାଲିକା ପ୍ରସ୍ତୁତ କରାଯାଉଛି ଯେଉଁ ବିଭାଗରେ ଥିବେ ସେଠୁ ଆଣି ଭିନ୍ନ ଭିନ୍ନ ଜିଲ୍ଲାରେ ନିୟୋଜିତ କରାଯିବ । ରେଡ୍ ଜୋନ୍ ଜିଲ୍ଲା ପାରାଦ୍ୱୀପ ଠାରୁ ପୁରୀ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାକୁ ଏନଡିଆରଏଫ୍ ଟିମ ବାହାରିସାରିଲେଣି । ରିଲିଫ ସେଣ୍ଟରରେ ପାୱାର ସପ୍ଲାଇ ପାଇଁ ପ୍ରସ୍ତୁତି ସରିଛି । ବାତ୍ୟା ସମୟରେ ହେବାକୁ ଥିବା ଲୋକାଲ ପରୀକ୍ଷା ସବୁ ବାତିଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।