ଭୁବନେଶ୍ୱର: ଯାତ୍ରା ଦେଖିବାକୁ ଯାଇ ଆଉ ଫେରିଲେନି ନାବାଳକ। ଗାଁ ପାଖ ଗଛରୁ ନାବାଳକଙ୍କ ମୃତଦେହକୁ ଠାବ କଲେ ଗ୍ରାମବାସୀ। ଏପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅଞ୍ଚଳରେ।
ସୂଚନାନୁଯାୟୀ ଗାଁରେ ଯାତ୍ରାକୁ ଦେଖିବାକୁ ଯାଇଥିଲେ ନାବାଳକ, ହେଲେ ରାତି ଅଧିକ ହୋଇଯାଇଥିଲେ ମଧ୍ୟ ସେ ଘରକୁ ଫେରିନଥିଲେ। ଏହାପରେ ପରିବାର ଲୋକ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ଖୋଜଖବର ପାଇନଥିଲେ। ସୋମବାର ସକାଳେ ସେହି ଗ୍ରାମର ଏକ ସ୍କୁଲ ନିକଟସ୍ଥ ବରଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଜାରିରଖିଛି। କେହି ନାବାଳକଙ୍କୁ ହତ୍ୟା କରି ଗଛରେ ଟଙ୍ଗାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଶବ ବ୍ୟବଚ୍ଛେଦ ପରେ ସଠିକ ସୂଚନା ମିଳିବ ବୋଲି ଥାନାଧିକାରୀ କହିଛନ୍ତି।