ଯାଜପୁର: ଲାଞ୍ଚ ନେବା ସମୟରେ ମାଡି ବସିଲା ଭିଜିଲାନ୍ସ। ଉପୁରି ହାତେଇବା ସମୟରେ ଭିଜିଲାନ୍ସ ଜାଲରେ ଫସିଲେ ଆରଆଇ। ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗୀୟ ଅଧିକାରୀଙ୍କ ହାତରେ ଧରାପଡ଼ିଲେ। ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ସ୍ଥିତ ଧର୍ମଶାଳା ତହସିଲରେ। ଏହି ତହସିଲ ଅଧିନସ୍ଥ ବଳରାମପୁର-୧ର ରାଜସ୍ୱ ନିରୀକ୍ଷକ ସୁଶାନ୍ତ ସ୍ବାଇଁ ଲାଞ୍ଚ ନେବା ପ୍ରସଙ୍ଗରେ ଧରା ପଡିଛନ୍ତି।
ସୂଚନାଯୋଗ୍ୟ କବାଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଦଳଗାଁର ଶିକ୍ଷକ ବସନ୍ତ କୁମାର ସ୍ୱାଇଁଙ୍କ ଠାରୁ ୩୩,୦୦୦ ଟଙ୍କା ଜମି ମ୍ୟୁଟେସନ ପାଇଁ ନେଇଥିଲେ ସୁଶାନ୍ତ ସ୍ବାଇଁ। ପୁନର୍ବାର ଏହି କାମ ସମ୍ପୂର୍ଣ କରିବା ପାଇଁ ଆଉ ୧୫,୦୦୦ଟଙ୍କା ମାଗିଥିଲେ। ଏହି ସଂକ୍ରାନ୍ତରେ ଶିକ୍ଷକ ଭିଜିଲାନ୍ସକୁ ଅବଗତ କରାଇଥିଲେ। ଶନିବାର ବସନ୍ତ, ରାଜସ୍ୱ ନିରୀକ୍ଷକ ସୁଶାନ୍ତ ସ୍ବାଇଁଙ୍କୁ ଲାଞ୍ଚ ଦେଉଥିବା ସମୟରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ତେବେ ଲାଞ୍ଚ ରକମକୁ ଭିଜିଲାନ୍ସ ବିଭାଗ ଜବତ କରିବା ସହ ସୁକିନ୍ଦା ବ୍ଲକର ଜଗନ୍ନାଥ ସାହିରେ ଥିବା ବାସଭବନରେ ଖୋଳତାଡ଼ ଆରମ୍ଭ କରିଛି।