ଭୁବନେଶ୍ୱର: ବାତ୍ୟା ଆସି ନାହିଁ ବଢ଼ିଲାଣି ଦରଦାମ। ସମ୍ଭାଵ୍ୟ ବାତ୍ୟାକୁ ଦେଖି ସବୁ ଜିନିଷ ଉପରେ ବ୍ୟାବସାୟୀ ମାନେ ଦର ବଢାଇବା ଆରମ୍ଭ କରିଦେଇଛନ୍ତି। ବ୍ୟବସାୟୀଙ୍କର ଏଭଳି କାମ ଉପରେ ଖାଉଟି ମାନେ ଅସନ୍ତୋଷ ଜାହିର କରିଛନ୍ତି। ବାତ୍ୟାର କଥାକୁ ନେଇ ସବୁ ଜିନିଷ ଉପରେ ୨୫ ପ୍ରତିଶତ ଦରଦାମ ବୃଦ୍ଧି କରିଛନ୍ତି ବେପାରୀ ମାନେ। ପରିବା କଥା ତ ନ କହିବା ଭଲ। ଆଳୁ, ଟମାଟୋ ଓ ପିଆଜ ଦରଦାମ ବଢିଯାଇଛି।
ଭୁବନେଶ୍ୱରର ପାତ୍ରପଡ଼ା, ଡୁମୁଡୁମା ତଥା ଅନ୍ୟ ବହୁ ସ୍ଥାନରେ ରବିବାର ଦିନ ପରିବା ବେପାରୀମାନେ ଆଳୁ କିଲୋ ପିଛା ୪୦ ଟଙ୍କାରେ ବିକ୍ରି କରୁଥିବା ସୂଚନା ମିଳିଛି। ସେହିପରି ପିଆଜ କିଲୋ ପ୍ରତି ୬୦ଟଙ୍କାରେ ଥିଲା ବେଳେ ଏବେ ତାହା ବଢ଼ି ୭୦ ଟଙ୍କାକୁ ଛୁଇଁଲାଣି। ଜାଣିଶୁଣି ବେପାରୀମାନେ ଏପରି କରୁଥିବାର ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କୁବେରପୁତ୍ର ସଂଘର ସଭାପତି ଶକ୍ତିଶଙ୍କର ମିଶ୍ର କହିଛନ୍ତି, ବଜାରରେ ଯେତିକି ଆବଶ୍ୟକ ସେତିକି ସାମଗ୍ରୀ ରହିବା ସହ ଆଳୁ ଓ ପିଆଜ ମଧ୍ୟ ମହଜୁଦ ରହିଛି। ଏହାଦ୍ୱାରା କେହି ବ୍ୟତିବ୍ୟସ୍ତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହ କଳାବଜାରୀ କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।