ବାରିପଦା: ଥମୁନି ଗଞ୍ଜେଇ ମାଫିଆଙ୍କ ବେଧଡକ ଚୋରାଚାଲାଣ। ସ୍କର୍ପିଓରେ ଫୁଲବାଣୀରୁ ବାରିପଦା ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ ହାତରେ ଧରାପଡ଼ିଲେ ଗଞ୍ଜେଇ ମାଫିଆ। ବାରିପଦା ଟାଉନ ଥାନା ପୁଲିସ ସଫଳତାର ସହିତ ଚାଲାଣକାରୀଙ୍କ ନିକଟରୁ୨୨ କେଜି ଗଞ୍ଜେଇ ସହ ଏକ ସ୍କର୍ପିଓ ଜବତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଅଞ୍ଚଳର ମାନୁ ରାୟ।
ସୂଚନାନୁଯାୟୀ ଅଭିଯୁକ୍ତ ମାନୁଙ୍କ ଶଶୁର ଘର ଫୁଲବାଣୀ ହୋଇଥିବା ବେଳେ, ସେ ପୂର୍ବରୁ ସେଠାରୁ ଗଞ୍ଜେଇ ଆଣି ବାରିପଦାକୁ ଚାଲାଣ କରୁଥିଲେ। ଏସଂକ୍ରାନ୍ତରେ ଖବର ପାଇଥିଲେ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲ୍ଲୀ। ତାଙ୍କ ନିର୍ଦ୍ଦେଶକ୍ରମେ ବାରିପଦା ଥାନା ଅଧିକାରୀ ସୁମିତ କୁମାର ସୋରେନଙ୍କ ନେତୃତ୍ବରେ ଏକ ଟିମ୍ ନୁରୁଡ଼ିହିଠାରେ ଚଢ଼ଉ କରିଥିଲେ । ଯାହାଫଳରେ ରାସ୍ତାରେ କଡ଼ରେ ଛିଡା ହୋଇଥିବା ସ୍କର୍ପିଓରୁ ୨୨ କିଲୋ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ବଜାରମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏ ନେଇ ଏନଡିପିସି ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ବୁଧବାର କୋର୍ଟ ଚାଲାଣ କରାଯିବ। ଫୁଲବାଣୀରୁ ବାରିପଦାକୁ ଗଞ୍ଜେଇ ବେପାରୀଙ୍କ ଚେର ଲମ୍ବିଛି। ତେବେ ଏହାର ମୂଳ ପର୍ଯ୍ୟନ୍ତ ଯାଇ କିଙ୍ଗପିନକୁ ଗିରଫ ପାଇଁ ବାରିପଦା ଟାଉନ ପୁଲିସ ଅଧୂକ ତଦନ୍ତ ଚଳାଇଛି।
ଆଗକୁ ପଢନ୍ତୁ : ଲକ୍ଷ୍ନୌରେ ରାମମନ୍ଦିରର ମୁଖ୍ୟ ପୂଜକଙ୍କ ଦେହାନ୍ତ; ଅଯୋଧ୍ୟା ଅଭିମୁଖେ ବାହାରିଲା ପାର୍ଥିବ ଶରୀର