ବୌଦ୍ଧ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ରହିଛି ଦୁଇ ଗୋଟି ଆବାସିକ ବିଦ୍ୟାଳୟ। ସେଥି ମଧ୍ୟରୁ ଗୋଟିଏ ରହିଛି ସରସରା ପଞ୍ଚାୟତର ନାରାୟଣପୁର ନିକଟରେ। ଯାହାକି ASWASRO ନାମକ ଏକ ବେସରକାରୀ ଅନୁଷ୍ଠାନ ଦ୍ଵାରା ଚାଳିତ। ପ୍ରାୟ ୭୫ ଜଣ ଛାତ୍ର ଛାତ୍ରୀ ପଢୁଥିବା ଏହି ବିଦ୍ୟାଳୟଟି ବାହାରକୁ ଠିକ୍ ଠାକ୍ ଦୃଶ୍ୟମାନ ହେଉଥିବା ବେଳେ ଭିତରେ ନାହିଁ ନଥିବା ଅବ୍ୟବସ୍ଥା। ବୌଦ୍ଧରେ ପାହାନ୍ତା ପହରରେ ତାପମାତ୍ରା ୧୦/୧୧ ଡ଼ିଗ୍ରୀ ରହୁଥିବା ବେଳେ ଜଲଖିଆ ଦିଆ ନ ଯାଇ ଦିନ ଏଗାରଟା ସମୟରେ ପିଲାଙ୍କୁ ଖାଇବାକୁ ଦିଆ ଯାଉଛି ବାସୀ ଭାତ। ଭାତ ଥିବା ଡେକଚି ଓ ଢାଙ୍କୁଣିକୁ ଦେଖି ହେଉନଥିଲା। ଉପରେ ଖାଲି ମାଛି ଭଣଭଣ। ପିଲାମାନେ ଭାତ ନଷ୍ଟ ହୋଇ ଯାଇଥିବା ଆପତ୍ତି କରି ତଳେ ଫୋପାଡି ଦେଉଥିବା ଦେଖିବାକୁ ମିଳିଥିଲା। ଦିବ୍ୟାଙ୍ଗ କୁନି କୁନି ପିଲାମାନେ ନିଜେ ସେମାନଙ୍କ ଶ୍ରେଣୀ ଗୃହ ଓ ଆବାସ ଝାଡ଼ୁ କରୁଥିବାର ଦୃଶ୍ୟ ବେଶ ହୃଦୟ ବିଦାରକ ଥିଲା। ଛାତ୍ରଛାତ୍ରୀଙ୍କୁ ଜଳଖିଆ ଦିଆ ଯାଉ ନ ଥିବା ଜଣେ ଛାତ୍ର ପ୍ରକାଶ କରିଥିଲେ। ପିଲାମାନଙ୍କର ଏହି ଦୁଃସ୍ଥିତି ଓ ବିଦ୍ୟାଳୟର ଅବ୍ୟବସ୍ଥା ସଂପର୍କରେ ଖବର ପାଇ ଜିଲ୍ଲାର ବିଶିଷ୍ଟ ସମlଜସେବୀ ଇଞ୍ଜିନିୟର ବିକାଶ ମହାକୁଳ ବିଦ୍ୟାଳୟକୁ ଯାଇଥିଲେ। ପିଲା ମାନଙ୍କ ଦୁଃଖ ଯନ୍ତ୍ରଣା ଅନୁଭବ କରିବା ସହିତ ସେମାନଙ୍କୁ ବିସ୍କୁଟ ଓ ଚକୋଲେଟ ବଣ୍ଟନ କରିଥିଲେ। ଏହି ସମୟରେ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ଆଶା ରହିଛି ଆଗାମୀ ଦିନରେ ବୌଦ୍ଧ ପ୍ରଶାସନ ଏହି ସବୁ ଅବ୍ୟବସ୍ଥାର ସଂଜ୍ଞାନ ନେବା ସହିତ ଦୋଷୀଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବ।