ଭୁବନେଶ୍ୱର: ଆଜି ନୂଆବର୍ଷ ପାଇଁ ପୁରୀରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଆସି ପହଁଚିଥିବା ବେଳେ ପୁରୀ ବଡ ଦାଣ୍ଡରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଆଗକୁ ମଧ୍ୟ ନୂଆ ବର୍ଷରେ ପୁରୀରେ ଭକ୍ତ ତଥା ପର୍ଯ୍ୟଟକଙ୍କ ଆହୁରି ସମାଗମ ହେବାର ସମ୍ଭାବନା ରହିଛି।
ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏତେ ସଂଖ୍ୟକ ଭକ୍ତ ମାନେ କିପରି ଶୃଙ୍ଖଳିତ ଭାବେ ମନ୍ଦିରରେ ଯାଇ ଠାକୁରଙ୍କୁ ଦର୍ଶନ କରିପାରିବେ ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଗକୁ ଡିସେମ୍ବର ୩୧ ଓ ନୂଆ ବର୍ଷ ଦିନ ଅଧିକ ଜଣ ସମାଗମକୁ ଲକ୍ଷ୍ୟ କରି ଟ୍ରାଫିକ ପରିଚାଳନା ସମେତ ୬୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଅନେକ ଉଚା ପଦସ୍ଥ ଅଧିକାରୀ ମାନେ କାର୍ଯ୍ୟରେ ନିୟୋଜିତ ରହିବେ।
ଏତେ ସଂଖ୍ୟକ ଭକ୍ତଙ୍କ ସମାଗମ ପାଇଁ ଧାଡି ଦର୍ଶନକୁ ସ୍ଥଗିତ ରଖାଯାଇଛି। ଏହି ଅବସରରେ କେବଳ ସିଂହ ଦ୍ୱାରରେ ପ୍ରବେଶ ବ୍ୟବସ୍ଥା ସହିତ ଅନ୍ୟ ଦ୍ୱାର ଦେଇ ଭକ୍ତଙ୍କ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ସିଂହଦ୍ୱାର ବ୍ୟତୀତ ଅନ୍ୟ ଦ୍ୱାରା ଦେଇ ଭକ୍ତଙ୍କର ପ୍ରବେଶକୁ ବାରଣ କରାଯାଇଛି। ଏପରି ପରିସ୍ଥିତିରେ ଜଣ ସାଧାରଣଙ୍କ ସହାୟତା ଆଶା କରୁଛି ଶ୍ରୀମନ୍ଦିର ପ୍ରଶାସନ।
ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ ସହିତ ଜନଗହଳିପୂର୍ଣ୍ଣ ସ୍ଥାନରେ ଆଣ୍ଟି ସ୍ନାଚିଂ ଟିମ୍ ମୁତୟନ ରହିବେ। ବିଭିନ୍ନ ସ୍ଥାନରେ ବ୍ୟାରିକେଡ଼ ବ୍ୟବସ୍ଥା ସହିତ ପୋଲିସ ନାକାବନ୍ଦୀ କରିଛି। ସମୁଦ୍ରକୂଳରେ ଭିଡ ନିୟନ୍ତ୍ରଣ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ଆଗ୍ନିକ ଓ ସୁରକ୍ଷା କର୍ମୀ ମାନେ ମୁତୟନ ରହିବେ।