ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ବୁଧବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବ୍ରେନ୍ ହେମରେଜ୍ ହେବା ପରେ ସେ ଲକ୍ଷ୍ନୌସ୍ଥିତ ପିଜିଆଇରେ ଚିକିତ୍ସିତ ହେଉଥିଲେ। ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ପାର୍ଥିବ ଶରୀରକୁ ଅଯୋଧ୍ୟା ପଠାଯାଇଛି, ଯେଉଁଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
ହସ୍ପିଟାଲ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ୩ ତାରିଖରେ ଷ୍ଟ୍ରୋକ୍ ଯୋଗୁଁ ତାଙ୍କୁ ଗୁରୁତର ଅବସ୍ଥାରେ ନ୍ୟୁରୋଲୋଜି ୱାର୍ଡର ଏଚ୍ଡିୟୁରେ ଭର୍ତ୍ତି କରାଯାଇଥିଲା।
'ବ୍ରେନ୍ ଷ୍ଟ୍ରୋକ୍' କାରଣରୁ ସଞ୍ଜୟ ଗାନ୍ଧୀ ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏସ୍ଜିପିଜିଆଇ)ରେ ଭର୍ତ୍ତି ହୋଇଥିବା ଶ୍ରୀରାମ ଜନ୍ମଭୂମି ମନ୍ଦିର-ଅଯୋଧ୍ୟାର ମୁଖ୍ୟ ପୂଜକ ପିଜିଆଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ମହନ୍ତ ସତ୍ୟେନ୍ଦ୍ର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା 'ବ୍ରେନ୍ ଷ୍ଟ୍ରୋକ୍' କାରଣରୁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଫେବ୍ରୁଆରି ୩ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏସ୍ଜିପିଜିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ସତ୍ୟେନ୍ଦ୍ର ଦାସଙ୍କୁ ଷ୍ଟ୍ରୋକ୍ ହୋଇଛି। ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ ଏବେ ତାଙ୍କୁ ନ୍ୟୁରୋଲୋଜି ଆଇସିୟୁରେ ଭର୍ତ୍ତି କରାଯାଇଛି। ପିଜିଆଇ ପ୍ରଶାସନଅଧିକାରୀ ପିଆରଓ ସୂଚନା ଦେଇଛନ୍ତି ଯେ ସକାଳେ ପିଜିଆଇରେ ତାଙ୍କର ପରଲୋକ ଘଟିଛି।
ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ବିୟୋଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି- ଶ୍ରୀରାମ ଜନ୍ମଭୂମି ମନ୍ଦିର, ଶ୍ରୀ ଅଯୋଧ୍ୟା ଧାମର ମୁଖ୍ୟ ପୂଜକ, ସର୍ବୋଚ୍ଚ ଭକ୍ତ ଆଚାର୍ଯ୍ୟ ଶ୍ରୀ ସତ୍ୟେନ୍ଦ୍ର କୁମାର ଦାସ ମହାରାଜଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ ଏବଂ ସାମାଜିକ ଏବଂ ଆଧ୍ୟାତ୍ମିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ମୁଁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି! ମୁଁ ଭଗବାନ ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଦିବଂଗତ ଆତ୍ମାକୁ ତାଙ୍କ ଚରଣରେ ସ୍ଥାନ ଦିଅନ୍ତୁ ଏବଂ ଦୁଃଖୀ ଶିଷ୍ୟ ଏବଂ ଅନୁଗାମୀମାନଙ୍କୁ ଏହି ଅସୀମ ଦୁଃଖ ସହିବାର ଶକ୍ତି ଦିଅନ୍ତୁ।
ଅଧିକ ପଢ଼ନ୍ତୁ: ରୋହିତ-ଗମ୍ଭୀର-ଅଗରକରଙ୍କ ମଧ୍ୟରେ ଚୟନକୁ ନେଇ କ'ଣ ହେଲା ଆଲୋଚନା?