ବ୍ରହ୍ମପୁର : କର୍ମଚାରୀ ଭବିଷ୍ୟନିଧି ସଂଗଠନର କେନ୍ଦ୍ରୀୟ କମିଟିରେ ଅଖିଳ ଭାରତ ଟ୍ରେଡ ୟୁନିଅନ କଂଗ୍ରେସ ଗଞ୍ଜାମ ଓ କୋରାପୁଟ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ଆଞ୍ଚଳିକ ଭବିଷ୍ୟନିଧି କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର କମିଶନର ପ୍ରକାଶ ନାରାୟଣ ସିଂଙ୍କ ଜରିଆରେ ପ୍ରଦାନ କରାଯାଇଛି । ଶୁକ୍ରବାର ଗଞ୍ଜାମ ଜିଲ୍ଲା ଏଆଇଟିୟୁସି ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଆଞ୍ଚଳିକ କମିଶନରଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେଠାରେ ଶ୍ରମିକ ନେତା ପ୍ରବୀଣ ଦାସଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହେବା ସହ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ନବ ଗଠିତ କେନ୍ଦ୍ରୀୟ କମିଟିରୁ ଭାରତର ସର୍ବ ପୁରାତନ ଓ ସର୍ବ ବୃହତ ଶ୍ରମିକ ସଂଗଠନ ଏଆଇଟିୟୁସିକୁ ବାଦ ଦିଆ ଯାଇଥିବାରୁ ଏହାର ତୀବ୍ର ସମାଲୋଚନା କରାଯିବା ସହ ଏହାକୁ ଯଥାଶୀଘ୍ର କେନ୍ଦ୍ରୀୟ କମିଟିରେ ସାମିଲ କରିବା ପାଇଁ ଦୃଢ଼ ଦlବି କରାଯାଇଥିଲା। ଅନ୍ୟଥା ଆଗାମୀ ଦିନରେ ଏକ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ପରେ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି, ପ୍ରଦୀପ ସେଠୀଙ୍କ ସହ ଅନ୍ୟମାନେ ଶ୍ରମ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।