ସମ୍ବଲପୁର : ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆୟକର ବିଭାଗର ରେଡ଼ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ସମ୍ବଲପୁର ଧନକଉଡ଼ା ନିକଟସ୍ଥ ଭଡା ଘରେ ତନାଘନା ଚାଲିଛି । ଆୟକର ରାଶି ଠକିବ ମାମଲାରେ ବ୍ରଜ ଦାସଙ୍କ ଘରେ ଆୟକର ବିଭାଗର ଚଢ଼ାଉ ଜାରିରହିଛି । କେବଳ ବ୍ରଜଙ୍କ ସମ୍ବଲପୁର ସ୍ଥିତ ବାସଭବନ ନୁହେଁ ତାଙ୍କର ଅଫିସ ତଥା ବ୍ରଜଙ୍କ ସମ୍ପର୍କରେ ଥିବା ଅନ୍ୟ ସାତଜଣ ଠିକାଦାରଙ୍କ ଘରେ ଆୟକର ବିଭାଗ ଛାପା ମାରିଛି । ପାଖାପାଖି ୪୪ଟି ସ୍ଥାନରେ ଆୟକର ବିଭାଗ ଏକସମୟରେ ଚଢ଼ାଉ କରିବା ଆରମ୍ଭ କରିଥିବା ବେଳେ ତଦନ୍ତ କରୁଥିବା ଦଳଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟପ୍ରମାଣ ଓ ନଥିପତ୍ର ମିଳିଛି ।
ଗତକାଲି ଆୟକର ବିଭାଗର ଅଧିକାରୀ ମାନେ ୧୦ଟି ଇନୋଭା ଗାଡିରେ ଭୁବନେଶ୍ୱରରୁ ଏହି ଦଳ ଆସି ରେଡ କରୁଥିବା ନେଇ ସୂଚନା ମିଳିଛି। ତେବେ ଏହି ରେଡ ସମ୍ପର୍କରେ କେହି ମୁହଁ ଖୋଲିନଥିବା ବେଳେ ଏହି ରେଡ ସମ୍ପର୍କୀୟ କୌଣସି ସରକାରୀ ସ୍ତରରେ ସୂଚନା ହସ୍ତଗତ ହୋଇନାହିଁ l ଏହା ବ୍ରଜଙ୍କ ଘରେ ଦ୍ବିତୀୟ ଥର ପାଇଁ ରେଡ୍ ହୋଇଛି । ତେଣୁ ବ୍ରଜଙ୍କ ଉପରେ କିଛି ବଡ ଧରଣର ଅଭିଯୋଗ ରହିଥିବା ଅନୁମାନ କରାଯାଉଛି ।