ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିପାରେ ତାହା କହିବା ଅସମ୍ଭବ l କିଏ ବା ଜାଣିଥିଲା ଏକକାଳୀନ ଭାବରେ ମୃତ୍ୟୁ ସେମାନଙ୍କ ଜୀବନ ଦ୍ୱାରରେ ପହଞ୍ଚିବ l କିଏ ନିଜର କର୍ମକ୍ଷେତ୍ରରୁ ଘରକୁ ବାହୁଡୁଥିବ ତ କିଏ କେଉଁଆଡେ ଟିକିଏ ଖୁସିର ସମୟ ବିତେଇବାକୁ ବୁଲିବାକୁ ଯାଉଥିବ, କିଏ ନିଜର ଆତ୍ମୀୟସୋଜନଙ୍କୁ ଦେଖିବାକୁ ଯାଉଥିବ ତ ପୁଣି କିଏ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ଥିବ l କିନ୍ତୁ ବିଧିର ବିଧାନ ବୋଧେ ଥିଲା ଅନ୍ୟକିଛି l ଆଖି ପିଛୁଳାକେ ଅକାଳରେ ଚାଲିଗଲା ଏତେ ଗୁଡିଏ ଜୀବନ l ଛାତିଥରାଇ ଦେଲା ବାହାନାଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଓଲଟିପଡ଼ିଥିଲା କରମଣ୍ଡଳର ଏକାଧିକ ବଗି । ଏହି ଛାତିଥରା ଅଭାବନୀୟ ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ବାହାନଗା ଷ୍ଟେସନ ନିକଟରେ ।
ସମୟ, ସନ୍ଧ୍ୟା ପ୍ରାୟ ୭.୧୫ ମିନିଟ l ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ଉଭୟ ଏକ୍ସପ୍ରେସର ଅନେକ ବଗି ଓଲଟି ପଡ଼ିଥିଲା । ବଗି ତଳେ ଚାପି ହୋଇଯାଇଥିଲl ଅନେକ ଜୀବନ l ରକ୍ତର ନଦୀ ବୋହିଥିଲା ବାହାନଗା ଷ୍ଟେସନରେ l ଚାଲିଗଲା ଅନେକ ଜୀବନ l ଦୁର୍ଘଟଣାର ଚିତ୍ର ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣା ସ୍ଥଳରେ ଦେଖିବାକୁ ମିଳିଲା ଅନେକ ହୃଦୟ ବିଦାରକ ଦୃଶ୍ୟ। ଯୁଆଡ଼େ ଦେଖିବ ଖାଲି ମୃତଦେହ । କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୁରା ଅଞ୍ଚଳ । କିଏ ପୁରା ପରିବାର ହରାଇଛି ତ କିଏ ବାପା ମାଆଙ୍କୁ ହରାଇ କାନ୍ଦୁଛି । ଏମିତିକି କେହି କେହି ନିଜ ପିଲାଙ୍କୁ ହରାଇ ଭୋଭୋ ହୋଇ ରଡ଼ି ଛାଡ଼ୁଛି । ଆହୁରି ଅନେକ ଅଛନ୍ତି ଯେଉଁମାନେ ଏବେ ବି ବଗି ତଳେ ଚାପି ହୋଇ ରହିଥିବା ପରିବାର ଲୋକଙ୍କୁ ଖୋଜୁଛନ୍ତି । ମୃତାହତଙ୍କୁ ହସ୍ପିଟାଲ ନେବାକୁ ନିଅଣ୍ଟ ହେଲା ଆମ୍ବୁଲାନ୍ସ। ଶେଷରେ ଟ୍ରାକ୍ଟର ଡାଲାରେ, ପିକ୍ଅପ୍ ଭ୍ୟାନ୍ ଡାଲାରେ ଗଦା କରି ବୁହା ହେଲା ଅନେକ ମୃତଦେହ।
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଏବେ ପୂରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ଏହି ଟ୍ରେନ୍ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୨୩୮ ଜଣ ମୃତ୍ୟୁବରଣ କରିଥିବା ବେଳେ ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ । ସମୟ ଗଡିବା ସହ ମୃତ୍ୟୁସଂଖ୍ୟା ଓ ଆହତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଏବେସୁଦ୍ଧା ୧୦୦୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ଦେଇଛନ୍ତି ଏସଆରସି । ଉଦ୍ଧାରକାରୀ ଦଳ ଜୋରସୋରରେ ଉଦ୍ଧାରକାର୍ଯ୍ୟ ଜାରି ରଖିଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ସବୁ ପ୍ରକାର ସହଯୋଗ ଜାରି ରଖିଛନ୍ତି । ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଦି ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ରେଳ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କାହିଁକି ଦୁର୍ଘଟଣା ଘଟିଲା, କିଏ ଦାୟୀ, ତଦନ୍ତ ହେବ ବୋଲି କହିଛନ୍ତି। ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଉ କିଛି ସମୟରେ ପହଞ୍ଚି ସ୍ଥିତି ସମୀକ୍ଷା କରିବାର ସୂଚନା ରହିଛି । ସେପଟେ ଟ୍ରେନ ଦୁର୍ଘଟଣା ନେଇ ଓଡିଶାରେ ଆଜି ଦିନିକିଆ ଶୋକ ପାଳନ କରାଯିବ। ରାଜ୍ୟରେ ଦିନିକିଆ ଶୋକ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି l ସେହିପରି ଟ୍ରେନ ଦୁର୍ଘଟଣା ନେଇ ଦିନିକିଆ ଶୋକ ପାଳିବ ତାମିଲନାଡୁ। ଆଜି ସାରା ତାମିଲନାଡୁରେ ଦିନିକିଆ ଶୋକ ପାଳନ ହେବ। ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ତେବେ ଦୁର୍ଘଟଣା ପରେ ଏକାଧିକ ଟ୍ରେନ୍ ବାତିଲ କରିଛି SER। ହାୱଡା-ପୁରୀ ସୁପରଫାଷ୍ଟ, ହାୱଡା-SMVB ସୁପରଫାଷ୍ଟ ବାତିଲ ହୋଇଛି। ହାୱଡା-ଚେନ୍ନାଇ ମେଲ୍, ସାଲିମାର-ପୁରୀ ସୁପରଫାଷ୍ଟ, ସାଲିମାର-ସମ୍ବଲପୁର, ସାନ୍ତ୍ରାଗାଚି-ପୁରୀ ସ୍ପେଶାଲ, ସିଆଲଦା-ପୁରୀ ଦୁରନ୍ତୋ ଏକ୍ସପ୍ରେସ, ପୁରୀ-ହୱଡା, ପୁରୀ-ସାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ପୁରୀ-ଭଞ୍ଜପୁର ସ୍ପେଶାଲ ଟ୍ରେନ ବାତିଲ କରାଯାଇଛି। ୯ଟି ଟ୍ରେନ୍ର ଗତିପଥ ସମ୍ପୂର୍ଣ୍ଣ ଓ ଆଉ ୬ଟିର ଆଂଶିକ ବଦଳିଛି। ସେପଟେ ଭୀଷଣ ଟ୍ରେନ ଦୁର୍ଘଟଣା ଯୋଗୁଁ ବିଜେପି ନିଜର ୯ ବର୍ଷ ପୂର୍ତ୍ତି ଉତ୍ସବକୁ ପାଳିବ ନାହିଁ । ଦଳ ନିଜର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଥିବା ସୂଚନା ରହିଛି । ମୃତକଙ୍କ ପାଇଁ ଦିନିକିଆ ଶୋକ ଦିବସ ପାଳନ କରିବ ଦଳ । ଏହା ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ଟ୍ରେନ ଦୁର୍ଘଟଣା ହେବା ପର ଗତକାଲି ରାତି ଠାରୁ ଏବେ ଯାଏଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମବାହିନୀ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସନ୍ଧାନୀ କୁକୁର ସହାୟତାରେ ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ମୃତାହତମାନଙ୍କୁ ବାହାର କରିବାକୁ ଚେଷ୍ଟା କରାଯାଉଛି। ଉଦ୍ଧାର କାର୍ଯ୍ୟ ସରିବାପରେ ଟ୍ରାକ୍ ମରାମତି କରାଯିବ। ଟ୍ରାକ୍ ମରାମତି ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱି ବୈଷ୍ଣବ ସୂଚନା ଦେଇଛଦନ୍ତି। ଆଉ ଗୋଟିଏ ବଗିରୁ ଉଦ୍ଧାର କାର୍ଯ୍ୟ ବାକି ରହିଛି। ନିର୍ଦ୍ଦିଷ୍ଟ ଏକ ବଗି ମାଟିରେ ଧସି ହୋଇ ରହିଛି। ସଂପୃକ୍ତ ବଗିରୁ ଉଦ୍ଧାର କାର୍ଯ୍ୟ ଆଉ କିଛି ସମୟ ଲାଗିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।