୨୦୩୦ ମସିହା ସୁଦ୍ଧା ଭାରତ ବିଶ୍ଵର ତୃତୀୟ ଏବଂ ଏସିଆର ଦ୍ଵିତୀୟ ବଡ଼ ଅର୍ଥନୈତିକ ମହାଶକ୍ତି ରୂପେ ପରିଗଣିତ ହେବ। ଏସ ଆଣ୍ଡ ପି ଗ୍ଲୋବାଲ୍ ପକ୍ଷରୁ ଆକଳନ କରାଯାଇଛି ଯେ ୨୦୩୦ ସୁଦ୍ଧା ଭାରତୀୟ ଅର୍ଥନୀତି ପରିମାଣ ୭.୩ ଲକ୍ଷ କୋଟି ଡଲାର ହେବ। ଫଳରେ ବିଶ୍ବର ଧନୀ ଦେଶ ତାଲିକାରେ ଜାପାନକୁ ଭାରତ ତୃତୀୟ ସ୍ଥାନରୁ ହଟାଇବ ବୋଲି କୁହାଯାଇଛି । ରିପୋର୍ଟ ଅନୁସାରେ, ଗତ କିଛି ବର୍ଷ ଭିତରେ ଭାରତକୁ ଆସିଥିବା ବୈଦେଶିକ ପୁଞ୍ଜିନିବେଶ ଏହାର ଅଭିବୃଦ୍ଧି ସମ୍ଭାବନାକୁ ଦର୍ଶାଉଛି।ଜନସଂଖ୍ୟାରେ ଯୁବବର୍ଗଙ୍କ ଭାଗ ସହିତ ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ଆୟରେ ବୃଦ୍ଧି ଯୋଗୁଁ ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିବ। ୨୦୨୨ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିମାଣ ୩.୫ ଲକ୍ଷ କୋଟି ଡଲାର ଥିଲା। ତାହା ୨୦୩୦ ବେଳକୁ ୭.୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ।
୨୦୨୨ରେ ଭାରତୀୟ ଅର୍ଥନୀତି ବ୍ରିଟେନ୍ ଓ ଫ୍ରାନ୍ସଠାରୁ ବଡ଼ ହୋଇଥିଲା। ବର୍ତ୍ତମାନ ବିଶ୍ୱର ସବୁଠୁ ବଡ଼ ମହାଶକ୍ତି ହେଉଛି ଆମେରିକା ଯାହାର ଜିଡିପି ପରିମାଣ ୨୫.୫ ଲକ୍ଷ କୋଟି ଡଲାର ରହିଛି। ଏହା ପଛକୁ ୧୮୦୦ କୋଟି ଡଲାର ଜିଡିପି ସହ ଚୀନ୍ ଦ୍ଵିତୀୟ ସ୍ଥାନରେ ରହିଛି। ୪.୨ ଲକ୍ଷ କୋଟି ଟଙ୍କା ଅର୍ଥନୀତି ସହ ଜାପାନ ତୃତୀୟ ଏବଂ ୪ ଲକ୍ଷ କୋଟି ଡଲାର ଜିଡିପି ସହ ଜର୍ମାନୀ ଚତୁର୍ଥ ସ୍ଥାନରେ ରହିଛି। ଭାରତ ଏବେ ପଞ୍ଚମ ସ୍ଥାନରେ ଅଛି। ଏସ ଆଣ୍ଡ ପି ପକ୍ଷରୁ ଆକଳନ କରାଯାଇଛି ଯେ ଭାରତର ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟାରେ ଦୁଇ ଗୁଣା ବୃଦ୍ଧି ହେବ। ମୋଟ ଉପରେ ଭାରତ ବିଶ୍ଵର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇରହିବ। ମାନୁଫାକ୍ଚରିଂ, ଇଲେକ୍ଟ୍ରୋନିକ୍ସ, ରସାୟନ, ବ୍ୟାଙ୍କିଙ୍ଗ, ବୀମା, ସମ୍ପତ୍ତି ପରିଚାଳନା, ସ୍ବାସ୍ଥ୍ୟ ସେବା ଓ ଆଇଟି କଂପାନିଗୁଡ଼ିକ ଲାଗି ଭାରତ ଆକର୍ଷଣୀୟ ସ୍ଥାନ ହୋଇରହିବ ବୋଲି ଆକଳନ କରାଯାଇଛି |
ଅଧିକ ପଢ଼ନ୍ତୁ : NCERT ବହିରେ 'ଇଣ୍ଡିଆ' ବଦଳରେ ଲେଖାଯିବ 'ଭାରତ'