ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଗଣେଶବିହାର ଅଞ୍ଚଳରେ ଜଣେ ନବ ବଧୂଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଭଡ଼ା ଘରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ହେଲେ ରଶ୍ମୀରଞ୍ଜନୀ ବଡ଼କୁମାର । ସେ ପୋଷ୍ଟ ଅଫିସରେ କାର୍ଯ୍ୟରତ ଥିଲେ । ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ରଶ୍ମୀରଞ୍ଜନୀଙ୍କ ବାପା କୁଞ୍ଜବିହାରୀ ବଡ଼କୁମାର ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ ମୃତକ, ଗତ ୮ ମାସ ତଳେ ଗଜପତି ପାରଳାଖେମୁଣ୍ଡିର ବିଦ୍ୟାନଗର କୁଞ୍ଜବିହାରୀ ବଡ଼କୁମାରଙ୍କ ଝିଅ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗ୍ରାମର ଶରତ ଚନ୍ଦ୍ର ମାଝୀଙ୍କ ପୁଅ ଦେବାଶିଷ ମାଝୀଙ୍କ ସହିତ ବିବାହ ହୋଇଥିଲା । ୨୦୨୪ ଜୁଲାଇ ୩ ତାରିଖରେ ଉଭୟଙ୍କ ବିବାହ ହୋଇଥିଲା । ଦେବାଶିଷ ଜଣେ ପୋଲିସ କନଷ୍ଟେବଳ ହୋଇଥିବାବେଳେ ରଶ୍ମୀରଞ୍ଜନୀ ପୋଷ୍ଟାଲରେ କାର୍ଯ୍ୟ କରନ୍ତି । ଉଭୟ ଗୁଣୁପୁର ଥାନା ଅନ୍ତର୍ଗତ ଗଣେଶବିହାର ଅଞ୍ଚଳରେ ଭଡ଼ାରେ ରହୁଥିଲେ । ହେଲେ ସୋମବାର ତାଙ୍କର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ତେବେ ଝିଅର ବାପାଙ୍କ ଅଭିଯୋଗ ମୁତାବକ ବିବାହ ପରଠାରୁ ଶାଶୁ ଘର ଲୋକେ ତାଙ୍କୁ ଯୌତୁକ ପାଇଁ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ତେବେ ଝିଅର ଅଚାନକ ମୃତ୍ୟୁ ଖବରକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରିନାହାଁନ୍ତି । ତାଙ୍କୁ ହତ୍ୟା କରାଯାଇଛି ବୋଲି ଗୁଣୁପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ଘଟଣା ସ୍ଥଳରେ ପହଁଚି ନବବଧୂ ମୃତ ଦେହକୁ ଜବତ କରିବା ସହିତ ବ୍ୟବଛେଦ ନିମନ୍ତେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇ ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।