ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଛୁଟି ନ ମିଳିବାରୁ ଜଣେ ସରକାରୀ କର୍ମଚାରୀ ନିଜ ୪ ସହକର୍ମୀଙ୍କୁ ଛୁରାମାଡ଼ କରିଛନ୍ତି । ଏପରିକି ରକ୍ତଭିଜା ଛୁରୀକୁ ହାତରେ ଧରି କେହି ତାଙ୍କ ପାଖକୁ ଆସିଲେ ଆକ୍ରମଣ କରିଦେବେ କହି ଭୟଭୀତ କରାଇ ରାସ୍ତାରେ ଦୌଡିବାକୁ ଲାଗିଲେ । ଘଟଣାଟି ଘଟିଛି କୋଲକତାର ନ୍ୟୁ-ଟାଉନ ଅଞ୍ଚଳରେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଭିଯୁକ୍ତ ହାତରେ ଏକ ଛୁରୀ ଧରିଥିବାର ଦେଖିବାକୁ ମିଳିଛି।
ଖବର ମୁତାବିକ ସମ୍ପୃକ୍ତ ଯୁବକ ଜଣକ ହେଉଛନ୍ତି, କୋଲକତାର ନ୍ୟୁଟାଉନ ଅଞ୍ଚଳରେ ଅସିତ ସରକାର। ସେ ଜଣେ ସରକାରୀ କର୍ମଚାରୀ । ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗରେ ସେ କାର୍ଯ୍ୟ କରୁଥିଲେ । କିଛିଦିନ ଛୁଟି ନେଇ ଘରକୁ ଯିବାକୁ ଚାହୁଁଥିଲେ ଅସିତ । ଏଥିପାଇଁ ଅଫିସରେ ସେ ଛୁଟି ପାଇଁ ଆବଦେନ କରିଥିଲେ, ହେଲେ କୌଣସି କାରଣବଶତଃ ତାଙ୍କ ଛୁଟି ଖାରଜ ହୋଇଯାଇଥିଲା । ଏହାପରେ ସେ ଏତେ ରାଗି ଯାଇଥିଲେ ଯେ ସେ ତାଙ୍କ ସହକର୍ମୀଙ୍କ ସହ ଯୁକ୍ତିତର୍କ କରିବାକୁ ଲାଗିଲେ ଏବଂ ତା’ପରେ ହଠାତ ଏକ ଛୁରୀ ବାହାର କରି ଆକ୍ରମଣ କଲେ। ଆକ୍ରମଣରେ ଅନେକ କର୍ମଚାରୀ ଆହତ ହୋଇଥିଲେ ଏବଂ ଜଣେ ସୁରକ୍ଷା କର୍ମୀଙ୍କୁ ମଧ୍ୟ ସେ ଛୁରାମାଡ଼ କରିଥିଲେ। ଏହା ପରେ ଯୁବକ ଜଣକ ଉତ୍ୟକ୍ତ ହୋଇ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ।
ଅଧିକ ପଢନ୍ତୁ: ଅଭିନେତା ସୋନୁ ସୁଦଙ୍କ ପାଇଁ ବଢିଲା ଅଡ଼ୁଆ; ସୋନୁଙ୍କ ନାଁରେ ଆସିଲା ଆରେଷ୍ଟ ୱାରେଣ୍ଟ; ୧୦ ଲକ୍ଷ ଟଙ୍କା ଠକେଇ ମାମଲାରେ ପଞ୍ଜାବର ଲୁଧିଆନା କୋର୍ଟ ଜାରି କଲା ଗିରଫ ୱାରେଣ୍ଟ
ଆକ୍ରମଣ ପରେ, ଅଭିଯୁକ୍ତ ଜଣକ ଅଫିସରୁ ବାହାରି ରାସ୍ତାରେ ଆସି ଛୁରୀ ହଲାଇବା ଆରମ୍ଭ କରିଦେଲେ। ଏହି ସମୟରେ ଲୋକମାନେ ତାଙ୍କୁ ଛୁରୀ ଫୋପାଡ଼ିବାକୁ କହିଥିଲେ, କିନ୍ତୁ ସେ କାହାରି କଥା ଶୁଣି ନଥିଲେ ଏବଂ କାହାରି ପାଖକୁ ନ ଆସିବାକୁ ଚେତାବନୀ ଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଟ୍ରାଫିକ ପୋଲିସ ଅଧିକାରୀ ପରିସ୍ଥିତିକୁ ଗମ୍ଭୀରତାର ସହ ନେଇଥିଲେ ଏବଂ ଅଭିଯୁକ୍ତଙ୍କୁ ଛୁରୀଟି ଫୋପାଡ଼ି ଦେବାକୁ ଅନୁରୋଧ କରିଥିଲେ। ବହୁତ ବୁଝାସୁଝା ପରେ, ଅଭିଯୁକ୍ତ ଛୁରୀଟି ଫୋପାଡ଼ି ଦେଇଥିଲା, ଯାହା ପରେ ପୋଲିସ ତୁରନ୍ତ ତାକୁ ହେପାଜତକୁ ନେଇଥିଲା। ପରେ, ବିଧାନନଗର ପୋଲିସ ଅଭିଯୁକ୍ତକୁ ଥାନାକୁ ନେଇଥିଲା।