ଭୁବନେଶ୍ୱର: ପଞ୍ଚସଖାଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବକୁଳବନ ବିଦ୍ୟାଳୟର ଐତିହ୍ୟର ପୁନରୁଦ୍ଧାର ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶାରେ ସ୍ୱତନ୍ତ୍ରତା ସଂଗ୍ରାମର ନେତୃତ୍ୱ ନେବା ସହ ଦେଶ ସ୍ୱାଧୀନତା ପାଇଁ ଯେଉଁ ଯୋଜନା ଓ ପରିକଳ୍ପନା କରିଥିଲେ, ତା’ର ପ୍ରୟୋଗଶାଳା ଥିଲା ସତ୍ୟବାଦୀ ବକୁଳବନ ବିଦ୍ୟାଳୟ । ଏହି ପବିତ୍ର ସ୍ଥାନରୁ ନୂଆ ଜାତୀୟ ଶିକ୍ଷା ନୀତିର ଅଭ୍ୟୁଦୋୟ ହୋଇଥିଲା । ଗୁରୁଶିଷ୍ୟ ପରମ୍ପରାର ଅନନ୍ୟ ନିଦର୍ଶନ ବହନ କରୁଥିବା ଏହି ଅନୁଷ୍ଠାନର ମହତ୍ୱକୁ ଦୃଷ୍ଟିରେ ରଖି ଗୁଜୁରାଟର ବଡନଗରରେ ପ୍ରଧାନମନ୍ତ୍ରୀ ପାଠ ପଢିଥିବା ‘ପ୍ରେରଣା ସ୍କୁଲ’ର ଢାଞ୍ଚା ଅନୁସାରେ ବକୁଳ ବନ ବିଦ୍ୟାଳୟର ବିକାଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ପ୍ରଧାନମନ୍ତ୍ରୀ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ପ୍ରେରଣା ବିଦ୍ୟାଳୟ ଆଜି ଯେପରି ଶିକ୍ଷା ଓ ମୂଲ୍ୟବୋଧର ଏକ ଅନନ୍ୟ କେନ୍ଦ୍ରରେ ପରିଣତ ହୋଇଛି, ସେପରି ଭାବେ ଏହି ବକୁଳବନ ବିଦ୍ୟାଳୟର ନବୀକରଣ ହେଲେ ଆମର ବରପୁତ୍ର ଓ ମହାପୁରୁଷମାନେ ଦେଖିଥିବା ସ୍ୱପ୍ନ ସାକାର ହୋଇପାରିବ ।
୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ । ଏହି ମଣିଷ ତିଆରି କାରଖାନାର ପୁନରୁଦ୍ଧାର ହେଲେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶ ଓ କଳ୍ପନାରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନରେ ଏକ ସ୍ୱପ୍ନ ପୂରଣ ହେବ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବକୁଳବନର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରିବା ସହିତ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବକୁଳବନ ଅଞ୍ଚଳର ବିକାଶ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ବିଦ୍ୟାଳୟର ଆଦର୍ଶ ଓ ଆଭିମୁଖ୍ୟ ବିଷୟରେ ବର୍ତ୍ତମାନର ପିଢିଙ୍କୁ ଅବଗତ କରାଇବା ପାଇଁ ଏହାର ମୂଳ ଢାଞ୍ଚା ଅନୁରୂପ ବିକାଶ କରାଯିବ । ଏହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ସ୍ଥାନ ପରିଦର୍ଶନ କରି ଏହାର ଐତିହ୍ୟ ସଂପର୍କରେ ଜ୍ଞାନ ଅର୍ଜନ କରିପାରିବେ ଏବଂ ଏହା ପର୍ଯ୍ୟଟକ ମାନଙ୍କୁ ମଧ୍ୟ ଆକୃଷ୍ଟ କରିବ । ଏଥିସହିତ ବକୁଳବନର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।