ସ୍ୱିଡେନ: ସ୍ୱିଡେନର ଓରେବ୍ରୋର ଏକ ସ୍କୁଲରେ ଆଖିବୁଜା ଗୁଳିମାଡ ହୋଇଛି । ଏଥିରେ ୧୦ ଜଣ ପ୍ରାଣ ହରାଇଛନ୍ତି । ସ୍ୱିଡେନ ଇତିହାସରେ ଏହା ସବୁଠୁ ବଡ଼ ଘାତକ ଆକ୍ରମଣ ବୋଲି କୁହାଯାଉଛି । ଗୁଳିକାଣ୍ଡ କରିଥିବା ସୁଟର ମଧ୍ୟ ଏଥିରେ ପ୍ରାଣ ହରାଇଛି । ଘଟଣାକୁ ନେଇ ପୋଲିସର କହିବା ହେଲା, ଜଣେ ଏକାକୀ ଶୁଟର ହିଁ ଏହି କାଣ୍ଡ ଘଟାଇଛି । କିନ୍ତୁ ଆକ୍ରମଣର ଉଦ୍ଦେଶ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେପଟେ ଏହି ଗୁଳିକାଣ୍ଡ ଘଟଣାରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଉଲଫ କ୍ରିଷ୍ଟେରସନ। ସେ କହିଛନ୍ତି, ‘ଏହି ଆକ୍ରମଣ ପୂରା ଦେଶକୁ ଦୋହଲାଇ ଦେଇଛି । ଏହା ସମଗ୍ର ସ୍ୱିଡେନ ପାଇଁ ଅତ୍ୟନ୍ତ ଦୁଃଖଦ ଦିନ’ ।
ଅଧିକ ପଢନ୍ତୁ: ଦେଶରେ AI App ଉପରେ ଲାଗିଲା ପ୍ରତିବନ୍ଧକ; ସରକାରୀ କର୍ମଚାରୀଙ୍କୁ ବ୍ୟବହାର ନ କରିବାକୁ ତାଗିଦ୍
ଓରେବ୍ରୋ ଉପକଣ୍ଠରେ ଥିବା ଏକ ସ୍କୁଲରେ ମଙ୍ଗଳବାରରେ ଏହି ଘଟଣା ଘଟିଛି । ଯେଉଁ ସ୍କୁଲରେ ଏହି ଘଟଣା ଘଟିଛି, ସେଠାରେ ୨୦ ବର୍ଷରୁ ଅଧିକ ବୟସର ପିଲାମାନେ ପାଠ ପଢ଼ନ୍ତି । ହଠାତ୍ ଆଖିବୁଜା ଗୁଳିକାଣ୍ଡକୁ ନେଇ ସେଠାରେ ଭୟର ବାତାବରଣ ଖେଳିଯାଇଥିଲା । ଖବର ପାଇ ପୋଲିସ ତୁରନ୍ତ ପହଞ୍ଚିଥିଲା, ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ । କାରଣ, ଅନେକ ଆହତଙ୍କ ଅବସ୍ଥା ବର୍ତ୍ତମାନ ଗମ୍ଭୀର ରହିଛି ।