ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡାକ୍ତର ଧ୍ରୁବରାଜ ନାୟକଙ୍କ ହତ୍ୟା ମାମଲାରେ ଝାରସୁଗୁଡ଼ା ଏଡିଜେ କୋର୍ଟ ଶୁକ୍ରବାର ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ପ୍ରବୀଣ ଧୂରିଆଙ୍କୁ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି । ଲଇକେରା ଥାନା ଅଞ୍ଚଳରେ କୂଳପତିଙ୍କ ଘରେ ପଶି ହତ୍ୟା କରିଥିଲା ଅଭିଯୁକ୍ତ ।
୧୦୦ ଟଙ୍କା ନ ଦେବାରୁ ହୋଇଥିଲା ଜଘନ୍ୟ ହତ୍ୟାକାଣ୍ଡ
୨୦୨୧, ଜୁଲାଇ ୨୭ ତାରିଖରେ ଅନ୍ଧାରୀ ଜଙ୍ଗଲର ସଂରକ୍ଷକ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡାକ୍ତର ଧ୍ରୁବରାଜ ନାୟକଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଥିଲା । ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍ ଅନ୍ତର୍ଗତ କୁଅଁରମାଲ ଗ୍ରାମର ପ୍ରବୀଣ ଧୂରିଆ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରିଥିଲା । ପ୍ରବୀଣ ଧ୍ରୁବରାଜଙ୍କୁ ମଦ୍ୟପାନ କରିବାକୁ ୧୦୦ ଟଙ୍କା ମାଗିଥିଲା । ମାତ୍ର ପୂର୍ବତନ କୁଳପତି ଟଙ୍କା ଦେବାକୁ ମନା କରିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହା ପରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଜଣକ କୁଳପତିଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ପରିବାର ଲୋକ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ, କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମାମଲାର ତଦନ୍ତ କରି ୨୦୨୧ ଜୁନ ୨୭ ତାରିଖରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।
ମାଛ ପୋଖରୀର ପ୍ରତିଶୋଧ ନେଇଥିଲା ଅଭିଯୁକ୍ତ
ହତ୍ୟା ପୂର୍ବରୁ ଧ୍ରୁବରାଜଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହିଁଥିଲା ପ୍ରବୀଣ । ପ୍ରଫେସର ଧ୍ରୁବରାଜ ନାୟକ ଘଟଣାର ୩ ବର୍ଷ ପୂର୍ବରୁ ଘର ପାଖରେ ଥିବା ନିଜ ପୋଖରୀକୁ ଲିଜ୍ ଆକାରରେ ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ । ହେଲେ ପ୍ରବୀଣ ଏବଂ ଅନ୍ୟ କିଛି ବ୍ୟକ୍ତି ନିୟମିତ ସେହି ପୋଖରୀରୁ ମାଛ ଚୋରି କରୁଥିଲେ । ଲିଜ୍ ନେଇଥିବା ବ୍ୟକ୍ତି ପ୍ରବୀଣ ନାଁରେ ଲଇକେରା ଥାନାରେ ଅଭିଯୋଗ କରିଥିଲେ । ପ୍ରବୀଣ ସହିତ ଅନ୍ୟ ଦୁଇଜଣ ଏହି ଅଭିଯୋଗରେ ଜେଲ ଯାଇ ଜାମିନରେ ଗାଁକୁ ଫେରିଥିଲେ । ପ୍ରଫେସର ଧ୍ରୁବରାଜଙ୍କ ଯୋଗୁଁ ସେ ଜେଲ୍ ଯାଇଥିବା ସନ୍ଦେହ କରିଥିଲା । ସେଥିପାଇଁ ପ୍ରତିଶୋଧ ନେବାକୁ ଚାହିଁଥିଲା ପ୍ରବୀଣ । ଆଉ ଧ୍ରୁବରାଜଙ୍କୁ ଜୀବନରୁ ହଟାଇ ଦେଇଥିଲା ।