ନୂଆଦିଲ୍ଲୀ: ଦେଶରେ ଏଆଇ ଆପ୍ ଉପରେ ଲାଗିଲା କଟକଣା । ଭାରତୀୟ ଅର୍ଥ ମନ୍ତ୍ରଣାଳୟ ChatGPT ଏବଂ DeepSeek ଭଳି AI ଟୁଲ୍ସ ଏବଂ ଆପ୍ଲିକେସନର ବ୍ୟବହାରକୁ ବ୍ୟାନ୍ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛି। ସରକାରୀ କର୍ମଚାରୀଙ୍କୁ ବ୍ୟବହାର ନ କରିବାକୁ ସରକାର ତାଗିଦ୍ କରିଛନ୍ତି । ଏନେଇ ସରକାର କହିଛନ୍ତି, ChatGPT ଏବଂ DeepSeek ଭଳି AI ପ୍ଲାଟଫର୍ମଗୁଡ଼ିକ ବ୍ୟବହାରକାରୀଙ୍କ ତଥ୍ୟ ସଂରକ୍ଷଣ କରିପାରେ ଏବଂ ଏହାକୁ ତୃତୀୟ ପକ୍ଷ ସହିତ ଶେୟାର କରିପାରେ। ସେଥିପାଇଁ ଏହାର ବ୍ୟବହାର ଉପରେ ରୋକ ଲଗାଯାଇଛି ।
ଯୁଗ୍ମ ସଚିବ ପ୍ରଦୀପ କୁମାର ସିଂହଙ୍କ ଦ୍ୱାରା ସ୍ୱାକ୍ଷରିତ ଏହି ଆଦେଶରେ କୁହାଯାଇଛି ଯେ ସରକାରୀ କମ୍ପ୍ୟୁଟରରେ ଏଆଇ-ସକ୍ଷମ ଆପ୍ଲିକେସନର ବ୍ୟବହାର ଗୋପନୀୟ ସରକାରୀ ସୂଚନାକୁ ବିପଦରେ ପକାଇପାରେ। ଏହାକୁ ଦୃଷ୍ଟିରେ ରଖି, ମନ୍ତ୍ରଣାଳୟ ସମସ୍ତ କର୍ମଚାରୀଙ୍କୁ ସରକାରୀ ଡିଭାଇସରେ ଏପରି ଉପକରଣ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛି। ଅର୍ଥ ସଚିବଙ୍କ ଅନୁମୋଦନ ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି ଏବଂ ରାଜସ୍ୱ, ଅର୍ଥନୈତିକ ବ୍ୟାପାର, ବ୍ୟୟ, ସାର୍ବଜନୀନ ଉଦ୍ୟୋଗ, DIPAM ଏବଂ ଆର୍ଥିକ ସେବା ସମେତ ପ୍ରମୁଖ ସରକାରୀ ବିଭାଗଗୁଡ଼ିକୁ ପଠାଯାଇଛି।
ଭାରତରେ ChatGPT, DeepSeek, Google Gemini ଭଳି ବିଦେଶୀ ଇଓ ଆପ୍ସର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବ୍ୟବହାରକାରୀମାନେ ସେମାନଙ୍କର କାମକୁ ସହଜ ଏବଂ ଦ୍ରୁତ କରିବା ପାଇଁ ଏହି ଆପ ବ୍ୟବହାର କରୁଛନ୍ତି। ତଥାପି ଏହି ଆପ ବ୍ୟବହାର ସମୟରେ ଡାଟା ସୁରକ୍ଷା ଏବଂ ଗୋପନୀୟତାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଯାଉଛି। ଏହି ଆପଗୁଡ଼ିକ ଆବଶ୍ୟକୀୟ ଅନୁମତି ଏବଂ ଉପଭୋକ୍ତାଙ୍କ ଡିଭାଇସରେ ଥିବା ଡାଟାର ଆକ୍ସେସ ଦାବି କରନ୍ତି, ଯାହା ଉପଭୋକ୍ତାଙ୍କ ବ୍ୟକ୍ତିଗତ ସୂଚନା ଲିକ ହେବାର ଆଶଙ୍କା ବଢ଼ାଇଥାଏ।
ସରକାର କାହିଁକି ଲଗାଇଲେ ଏହି ପ୍ରତିବନ୍ଧକ?
ଡାଟା ଲିକ୍ ହେବାର ବିପଦ –
ChatGPT ଏବଂ DeepSeek ପରି AI ମଡେଲଗୁଡ଼ିକ ବାହ୍ୟ ସର୍ଭରରେ ବ୍ୟବହାରକାରୀଙ୍କ ଦ୍ୱାରା ପ୍ରବେଶ କରାଯାଇଥିବା ଡାଟାକୁ ପ୍ରକ୍ରିୟାକରଣ କରନ୍ତି। ଏହାର ଅର୍ଥ ହେଉଛି ଯଦି ସରକାରୀ କର୍ମଚାରୀମାନେ ଏହି ଉପକରଣଗୁଡ଼ିକରେ ଗୋପନୀୟ ସୂଚନା ପ୍ରବେଶ କରନ୍ତି, ତେବେ ସେହି ତଥ୍ୟ ସଂରକ୍ଷଣ, ପ୍ରବେଶ କିମ୍ବା ଅପବ୍ୟବହାର ହୋଇପାରେ। ସରକାରୀ ବିଭାଗଗୁଡ଼ିକ ପାଖରେ ଆର୍ଥିକ ତଥ୍ୟ, ପଲିସି ଡ୍ରାଫ୍ଟ ଏବଂ ଆଭ୍ୟନ୍ତରୀଣ ଯୋଗାଯୋଗ ଭଳି ସମ୍ବେଦନଶୀଳ ତଥ୍ୟ ରହିଛି। ଯଦି ଏହି ତଥ୍ୟ ଲିକ୍ ହୁଏ, ତେବେ ଏହା ଜାତୀୟ ସୁରକ୍ଷା ଏବଂ ଅର୍ଥନୈତିକ ନୀତି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ।
AI ମଡେଲଗୁଡ଼ିକ ଉପରେ ସରକାରୀ ନିୟନ୍ତ୍ରଣର ଅଭାବ –
ସରକାରୀ କାର୍ଯ୍ୟାଳୟରେ ବ୍ୟବହୃତ ପାରମ୍ପରିକ ସଫ୍ଟୱେର୍ ପରି, AI ଉପକରଣଗୁଡ଼ିକ କ୍ଲାଉଡ୍-ଆଧାରିତ ଏବଂ ଘରୋଇ କମ୍ପାନୀଗୁଡ଼ିକର ମାଲିକାନା। ଉଦାହରଣ ସ୍ୱରୂପ, ChatGPT OpenAI ର ମାଲିକାନା, ଏବଂ ଏହି ଉପକରଣଗୁଡ଼ିକ କିପରି ସୂଚନା ସଂରକ୍ଷଣ କିମ୍ବା ପ୍ରକ୍ରିୟାକରଣ କରନ୍ତି ତାହା ସରକାରଙ୍କ ପାଖରେ ନିୟନ୍ତ୍ରଣ କରିବାର କୌଣସି ଉପାୟ ନାହିଁ। ଏହା ବିଦେଶୀ ହସ୍ତକ୍ଷେପ ଏବଂ ସାଇବର ଆକ୍ରମଣ ପାଇଁ ଏକ ସମ୍ଭାବ୍ୟ ବିପଦ ସୃଷ୍ଟି କରିପାରେ।
ପୂର୍ବରୁ, ଅନେକ ଘରୋଇ କମ୍ପାନୀ ଏବଂ ବିଶ୍ୱସ୍ତରୀୟ ସଂଗଠନ ମଧ୍ୟ ସମ୍ବେଦନଶୀଳ ତଥ୍ୟର ଅପବ୍ୟବହାରକୁ ଏଡାଇବା ପାଇଁ ଇଓ ଉପକରଣଗୁଡ଼ିକର ବ୍ୟବହାରକୁ ସୀମିତ କରିଛନ୍ତି। ପୂର୍ବରୁ, ଇଟାଲୀ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଚୀନ୍ ଏଆଇ ଟୁଲ୍ ଡିପସିକ୍ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି।