ଯାଜପୁର: ଯାଜପୁର ରୋଡ ଥାନା ସୋବରା ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ଷ୍ଟୁଡିଓ ଭିତରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତ ଦେହ । ମୃତକ ଜଣକ ହେଲେ ଓମ୍ ଡିଜିଟାଲ୍ ଫିଲ୍ମ ଷ୍ଟୁଡିଓର ମାଲିକ ଦୀପକ କୁମାର ସାହୁ ।
ସକାଳୁ ମାଆ ନେଇକି ଯାଇଥିଲା ଗରମ ଗରମ ଚା’, ପୁଅ ଗରମ ଗରମ ଚା ପିଇବ । କିନ୍ତୁ ବିଧି ବିଧାନ ଥିଲା କିଛି ଅଲଗା । ପୁଅର ଷ୍ଟୁଡିଓରେ ପହଁଚିବା ପରେ ମାଆ ପାଦ ତଳୁ ମାଟି ଖସିଯାଇଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପୁଅକୁ ଦେଖ ବାକ୍ ଶୂନ୍ୟ ହୋଇଯାଇଥିଲା ମାଆ।
ସବୁଦିନ ପରି ଗତକାଲି ରାତିରେ ଘରୁ ଖାଇବା ପିଇ ସାରି ଦୋକାନକୁ ଶୋଇବାକୁ ଆସିଥିଲେ ଦୀପକ ସାହୁ । ଗତକାଲି ରାତିରେ ଦୀପକଙ୍କୁ ଯୋଗାଯୋଗ କରିବାର ତାଙ୍କ ପରିବାର ଲୋକେ ଚେଷ୍ଟା କରିଥିଲେ । ମାତ୍ର ତାଙ୍କ ମୋବାଇଲ ସୁଇଚ ଅପ୍ କହିଥିଲା । ଆଜି ସକାଳେ ମାଆ ଯେତେବେଳେ ପୁଅ ପାଖକୁ ଚା ନେଇ ଷ୍ଟୁଡିଓକୁ ଆସିଥିଲେ, ସେତେବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅ ଦୀପକର ମୃତଦେହ ଭୂଇଁରେ ପଡିରହିଥିବା ଦେଖିବାକୁ ପାଇଥିଲେ । ଭେଣ୍ଡିଆ ପୁଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ମାଆ ନିଜର ଧୈର୍ଯ୍ୟ ହରାଇ ବସିଛି ।
ଏ ନେଇ ଯାଜପୁର ରୋଡ୍ ଥାନାକୁ ପରିବାର ଲୋକେ ଖବର ଦେଇଥିଲେ । ପୋଲିସ ତୁରନ୍ତ ଷ୍ଟୁଡିଓରେ ପହଁଚିଥିଲା । ଷ୍ଟୁଡିଓ ଭିତରେ ଥିବା କମ୍ପ୍ୟୁଟର, କ୍ୟାମେରା ଆଦି ସମସ୍ତ ସାଜ ସରଞ୍ଜାମ ଦୁର୍ବୃତ୍ତ ଲୁଟି ନେଇଥିବା ଜଣାପଡ଼ିଛି । ପୋଲିସ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି ।