ହାଇଦ୍ରାବାଦ: ସାମାନ୍ୟ ସମ୍ପତ୍ତି ପାଇଁ ସବୁ ସମ୍ପର୍କ ତୁଚ୍ଛ ହୋଇଯାଇଛି । ଯେଉଁ ନାତି ପାଇଁ କୋଟି କୋଟି ଟଙ୍କା ମୂଲ୍ୟର କମ୍ପାନୀ ଛିଡ଼ା କରାଇ ଦେଲେ ଅଜା ସେହି ସମ୍ପତ୍ତି ତାଙ୍କ ପାଇଁ କାଳ ହୋଇଯାଇଛି । ନିଜ ଅଜାକୁ ଥରେ କି ଦୁଇ ଥର ନୁହେଁ ମନ ଶାନ୍ତି ହେଲା ପର୍ଯ୍ୟନ୍ତ ୭୦ରୁ ଉର୍ଦ୍ଧ୍ୱ ଥର ଛୁରୀ ଭୁସି ଚାଲିଲା ନାତି । ଏଭଳି ଏକ ବିଭତ୍ସ ହତ୍ୟା କାଣ୍ଡ ଘଟିଛି ତେଲାଙ୍ଗାନା ଏଲୁରୁ ଅଞ୍ଚଳରେ । ମୃତ ବ୍ୟବସାୟୀ ଜଣକ ହେଲେ ବେଲାମତୀ ଚନ୍ଦ୍ରଶେଖର ଜଲାର୍ଦ୍ଦନ ରାଓ (୮୬) । ହତ୍ୟାକାରୀ ନାତି କିଲାରୁ କୀର୍ତ୍ତୀ ତେଜା (୨୯)କୁ ପୋଲିସ ଗିରଫ କରିଛି ।
ଭି ସି ଜନାର୍ଦ୍ଦନ ରାଓ ତେଲେଙ୍ଗାନାର ଜଣେ ପ୍ରତିଷ୍ଠିତ କୋଟି ପତି ବ୍ୟବସାୟୀ । ସେ ବେଲଜାଲ ଗ୍ରୁପ୍ ଅଫ୍ କମ୍ପାନୀଜ୍ ର ମାଲିକ ଅଟନ୍ତି । ଜନାର୍ଦ୍ଦନଙ୍କ ଝିଅ ସରୋଜିନୀ ଦେବୀ ଓ ତାଙ୍କ ପୁଅ କୀର୍ତ୍ତୀ ତେଜା ଗତ ଫେବୃଆରୀ ୬ ଗୁରୁବାର ରାତିରେ ଭେଟିବାକୁ ଆସିଥିଲେ । ସମ୍ପତ୍ତି ଭାଗ ବଣ୍ଟାକୁ ନେଇ କୀର୍ତ୍ତୀ ଏବଂ ତାଙ୍କ ଅଜାଙ୍କ ମଧ୍ୟରେ ବଚସା ହୋଇଥିଲା । ଶେଷରେ ସବୁ କିଛି ଭୁଲି ଯାଇଥିଲା କୀର୍ତ୍ତୀ । ଯୁକ୍ତି ତର୍କ ମଧ୍ୟରେ ନାତି ଏକ ଧାରୁଆ ଛୁରୀରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ । ମାଆ ସରୋଜିନୀ ମଧ୍ୟ ପୁଅକୁ ଅଟକାଇବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ପାରି ନ ଥିଲେ । ଏମିତି ସରୋଜିନୀ ମଧ୍ୟ ଆକ୍ରମଣର ଶୀକାର ହୋଇଥିଲେ ।
ସରୋଜିନୀ ତାଙ୍କ ଭାଇ ଗଙ୍ଗାଧର ଶ୍ରୀନିବାସ ଓ ଉମା ଦେବୀଙ୍କୁ କରି ଡାକିଥିଲେ । ଜନାର୍ଦ୍ଦନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିବାବେଳେ ଗଙ୍ଗାଧର ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଅନେକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅପରପକ୍ଷେ ତେଜା ଆକ୍ରମଣ କରିବା ପରେ ନିଜର କପଡ଼ା ବଦଳାଇ ଫେରାର ହୋଇଯାଇଥିଲା । ଏ ନେଇ ପରିବାର ଲୋକ ପଞ୍ଜାଗୁଟ୍ଟା ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ତେଜାକୁ ହାଇଦ୍ରାବାଦର ଲାନକୋ ହିଲ୍ସ ନିକଟରୁ ଗିରଫ କରିଥିଲା । ତେଜା ନିକଟରେ ଆମେରିକାରୁ ପଢ଼ା ସାରି ଘରକୁ ଫେରିଥିଲା ବୋଲି ପୋଲିସ ଅଧିକାରୀ ବି ଶୋଭନ କହିଛନ୍ତି ।