ମୁମ୍ବାଇ: ଟାଟା ଗ୍ରୁପର ମାଲିକ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ଦେହାନ୍ତ ହୋଇଯାଇଛି । ଗୁରୁବାର ସନ୍ଧ୍ୟାରେ ତାଙ୍କର ଶେଷ କୃତ୍ୟ ମଧ୍ୟ ସମ୍ପନ୍ନ ହୋଇଛି । ଭାରତ ଏକ ଯୁଗାନ୍ତକାରୀ ପୁରୁଷକୁ ହରାଇଲା ବୋଲି ଦେଶବାସୀ ପ୍ରତିକ୍ରିୟା ରଖୁଛନ୍ତି । ଏହାରି ମଧ୍ୟରେ ରତନ ଟାଟା ଛାଡ଼ି ଯାଇଥିବା ଟାଟା ଟ୍ରଷ୍ଟ ସାମ୍ରାଜ୍ୟର ମଙ୍ଗୁଆଳ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଶୁକ୍ରବାର କମ୍ପାନୀର ଉତ୍ତରାଧିକାରୀ ଭାବରେ ନୋଏଲ ଟାଟାଙ୍କ ନାମକୁ ନାମାଙ୍କିତ କରାଯାଇପାରେ । ଏ ନେଇ ଆଜି କମ୍ପାନୀର ବୈଠକ ବସିଛି । ସିଏ ହିଁ ମୁଖ୍ୟ ଭୂମିକାରେ ରହି ପାରନ୍ତି । ମେହଲୀ ମିସ୍ତ୍ରୀ ମଧ୍ୟ ବୋର୍ଡରେ ରହିବେ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ଟାଟା ଟ୍ରଷ୍ଟ ଅନ୍ତରୀଣ ଅଧ୍ୟକ୍ଷ ପାଇଁ ଜଣକୁ ନିଯୁକ୍ତି ଦେବ । ଏହି ତାଲିକାରେ ଦୁଇ ଜଣ ଉପାଧ୍ୟକ୍ଷ ବେଣୁ ସ୍ରିନିବାସନ୍ ଏବଂ ବିଜୟ ସିଂହ ଙ୍କ ନାମ ରହିଛି ।
ତେବେ କିଏ ଏହି ନୋଏଲ ଟାଟା ଆସନ୍ତୁ ଜାଣିବା । ନୋଏଲ ଟାଟା ହେଇଛନ୍ତି ରତନ ଟାଟାଙ୍କ ସାବତ ଭାଇ । ନାଭାଲ ଏଚ୍ ଟାଟା ଏବଂ ସିମୋନି ଏନ୍ ଟାଟାଙ୍କ ପୁଅ ହେଉଛନ୍ତି ନୋଏଲ । ସିଏ ଦୀର୍ଘ ୪୦ ବର୍ଷ ହେବ ଟାଟା ଗ୍ରୁପ୍ ସହିତ ଜଡ଼ିତ ଅଛନ୍ତି । କମ୍ପାନୀର ଅନେକ ବୋର୍ଡରେ ସେ ଅଛନ୍ତି । ଟ୍ରେଣ୍ଟ୍, ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ୍, ଭୋଲଟାସ, ଏବଂ ଟାଟା ଇନଭେଷ୍ଟମେଣ୍ଟରେ ସେ ଅଧ୍ୟକ୍ଷ ରହିଛନ୍ତି । ଏହା ସହିତ ଟାଟା ଷ୍ଟିଲ ଏବଂ ଟାଇଟନ କମ୍ପାନୀ ଲିମିଟେଡର ସେ ଉପାଧ୍ୟକ୍ଷ ଅଛନ୍ତି । ଏହା ବାଦ ସେ ସାର୍ ରତନ ଟାଟା ଟ୍ରଷ୍ଟ ଏବଂ ସାର୍ ଦୋରାବ୍ଜି ଟାଟା ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି । ସେହିପରି ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ (ଏମଡି) ମଧ୍ୟ ଥିଲେ ।
ନୋଏଲ ଟାଟା ଯୁକ୍ତ ରାଷ୍ଟ୍ରରୁ Sussex Universityରୁ ଗ୍ରାଜୁଏସନ୍ କରିଥିଲେ ଏବଂ ଏହା ପରେ INSEADରୁ International Executive Programme (IEP) ଶେଷ କରିଛନ୍ତି । ନୋଏଲଙ୍କର ତିନୋଟି ପିଲା ରହିଛନ୍ତି । ତାଙ୍କର ୩ ସନ୍ତାନ ଲିହ, ମାୟା ଏବଂ ନେଭିଲି ଚଳିତ ବର୍ଷ ମେ ୬ରୁ ଟାଟା ଗ୍ରୁପ୍ ୫ ଏନଜିଓରେ ନିଯୁକ୍ତି ପାଇଛନ୍ତି ।