ନୂଆଦିଲ୍ଲୀ: ବିଶ୍ୱରେ ଏବେ ଟ୍ରେଡ୍ ୱାର୍ ଚାଲିଛି । ଆମେରିକା ଟାରିଫ୍ ଘୋଷଣା କରିବା ପରେ ଏହା ତୀବ୍ର ରୂପ ନେଇଛି । ତେବେ ଭାରତ କେବେ ବନ୍ଧୁକ ମୁନରେ ଚୁକ୍ତି କରିବ ନାହିଁ । ଯେ ପର୍ୟ୍ୟନ୍ତ ଆମେ ଦେଶ ଏବଂ ଲୋକଙ୍କ ସ୍ୱାର୍ଥକୁ ସୁରକ୍ଷା ନ ଦେଇପାରିଛୁ, ସେ ପର୍ୟ୍ୟନ୍ତ କୌଣସି କାମକୁ ଶୀଘ୍ର କରିବା ଉଚିତ ନୁହେଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଟାରିଫ୍ ଘୋଷଣା ଉପରେ ଏପରି କହିଛନ୍ତି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋଏଲ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ବ୍ୟତୀତ ଅନ୍ୟ ସମସ୍ତ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରିବା ଉପରେ ନିଷେଧ ଘୋଷଣା କରିବା ପରେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ପ୍ରତିକ୍ରିୟା ରଖିଛନ୍ତି । ଇଣ୍ଡିଆ-ଇଟାଲୀ ବିଜ୍ନେସ ଫୋରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଜାରି ରହିଛି । ଭାରତର ନିଜ ସ୍ୱାର୍ଥ ସର୍ବୋପରି ରଖି କୌଣସି ଚାପରେ ଆଲୋଚନା କରିବ ନାହିଁ । ସେ ପୂର୍ବରୁ କହିଥିବା ମନ୍ତବ୍ୟକୁ ପୁଣି ଥରେ ଦୋହରାଇଥିଲେ । ସେ କହିଛନ୍ତି ଯେ ଆମେ ବନ୍ଧୁକ ମୁନରେ ଚୁକ୍ତି କରୁ ନାହୁଁ । ସଠିକ ସମୟ ଥିଲେ ଆଲୋଚନା ତ୍ୱରାନ୍ୱିତ ହୋଇଥାଏ । ସେହିପରି ଭାରତ ଏବଂ ଆମେରିକା ମଧ୍ୟରେ ସମସ୍ତ ବାଣିଜ୍ୟ ଆଲୋଚନାରେ 'ବିକଶିତ ଭାରତ ୨୦୪୭'କୁ ଦୃଷ୍ଟିରେ ରଖି 'ଭାରତ ପ୍ରଥମ' ମନୋଭାବ ସହିତ ଆମେ ଆଗକୁ ବଢ଼ୁଛୁ । ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଶୀଘ୍ର ସମାପ୍ତ କରିବା ପାଇଁ ଦୃଢ଼ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ- ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର, କୋର୍ଟ ଚାଲାଣବେଳେ ଫେରାର ହେବାକୁ କରୁଥିଲେ ଉଦ୍ୟମ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ୧୪୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ତେବେ ଭାରତ ସମେତ ୭୫ଟି ଦେଶ ଏବେ ଶୁଳ୍କରୁ ୯୦ ଦିନର ରିହାତି ପାଇଛନ୍ତି । ଭାରତ ଏବଂ ଆମେରିକା ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ସେମାନଙ୍କର ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟକୁ ଚୂଡ଼ାନ୍ତ ରୂପ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦୁଇ ଗୁଣା ବର୍ଦ୍ଧିତ କରିବାକୁ ଚେଷ୍ଟା କରାଯାଉଛି । ବର୍ତ୍ତମାନର ୧୯୧ ବିଲିୟନ ଡଲାରରୁ ୫୦୦ ବିଲିୟନ ଡଲାରକୁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ଉଭୟ ଦେଶ । ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ଚୁକ୍ତି ବିଷୟରେ, ଗୋୟଲ କହିଛନ୍ତି ଯେ ଆଲୋଚନା କେବଳ ସେତେବେଳେ ଆଗକୁ ବଢ଼ିଥାଏ ଯେତେବେଳେ ଉଭୟ ପକ୍ଷ ପରସ୍ପରର ଚିନ୍ତା ଏବଂ ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ହେବେ ।
ଅନ୍ୟପକ୍ଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଭାରତ ଆମେରିକା ଏବଂ ୟୁରୋପୀୟ ସଂଘ ଉଭୟ ସହିତ ଏକ ବାଣିଜ୍ୟ ଚୁକ୍ତିନାମାରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରଖିଛି । ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଭାରତର ପ୍ରସ୍ତାବଗୁଡ଼ିକର ତୁରନ୍ତ ପ୍ରତିକ୍ରିୟା ଦେଇଛନ୍ତି । ଆମେରିକାରେ ସରକାର ପରିବର୍ତ୍ତନର ଗୋଟିଏ ମାସ ମଧ୍ୟରେ ନୀତିଗତ ଭାବରେ ଏକ ଚୁକ୍ତିନାମା ହୋଇଥିଲା । ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି କରିବୁ ଏବଂ ଉଭୟ ପକ୍ଷ ପାଇଁ କାର୍ୟ୍ୟକାରୀ ହେଉଥିବା ଏକ ସମାଧାନର ରାସ୍ତା ଖୋଜିବୁ । କାରଣ ଆମର ମଧ୍ୟ ଚିନ୍ତା ଅଛି । ଏହି ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ କାଳ ପାଇଁ ନୁହେଁ ବୋଲି କହିଛନ୍ତି ଜୟ ଶଙ୍କର ।