ଭୁବନେଶ୍ୱର: ଦେଶର ବିଶିଷ୍ଠ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଧନୀ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଏମ୍୩ଏମ୍ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୫ (M3M Hurun India Rich List 2025) ରିପୋର୍ଟରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ । ତାଙ୍କ ତଳକୁ ଦ୍ୱିତୀୟରେ ରହିଛନ୍ତି ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀ । ସେହିପରି ବଲିଉଡ଼ର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ ପ୍ରଥମ ଥର ପାଇଁ ବିଲିଅନାରୀ କ୍ଲବରେ ସ୍ଥାନ ପାଇଛନ୍ତି ।
ହୁରୁନ୍ ରିପୋର୍ଟ ଅନୁସାରେ, ମୁକେଶ ଅମ୍ବାନୀ ୯.୫୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହିତ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି । ତାଙ୍କ ତଳକୁ ଗୌତମ ଅଦାନୀଙ୍କ ସମ୍ପତ୍ତି ହେଉଛି ୮.୧୫ ଲକ୍ଷ କୋଟି । ସେହିପରି ତୃତୀୟ ସ୍ଥାନରେ ୨.୮୪ ଲକ୍ଷ କୋଟି ସହିତ ଏଚସିଏଲ୍ ଟେକ୍ନୋଲୋଜିଜ୍ ଅଧ୍ୟକ୍ଷା ରୋଶନୀ ନାଦର ମଲହୋତ୍ରା ରହିଛନ୍ତି । କହିବାକୁ ଗଲେ ଦେଶର ସବୁଠାରୁ ଧନୀ ମହିଳାଙ୍କ ଭିତରେ ରୋଶନୀ ଶୀର୍ଷ ସ୍ଥାନ ଗ୍ରହଣ କରିଛନ୍ତି । ତାଙ୍କର ଆଉ ଏକ ରେକର୍ଡ ହେଉଛି ରୋଶନୀ ଧନୀ ତାଲିକାର ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ରହିବାର ଦେଶର ପ୍ରଥମ ମହିଳା ଉଦ୍ୟୋଗୀ ।
ଅନ୍ୟପଟେ ଧନୀ ତାଲିକାରେ ପେରପ୍ଲେକ୍ସିଟୀ ଫାଉଣ୍ଡର୍ ୩୧ ବର୍ଷିୟ ଅରବିନ୍ଦ ଶ୍ରୀନିବାସ ସବୁଠାରୁ ଯୁବ ଧନୀ ବ୍ୟକ୍ତି ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ୨୧ ହଜାର ୧୯୦ କୋଟି ବୋଲି ଏମ୍୩ଏମ୍ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟରେ ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ଶାହାରୁଖ ଖାନ ପ୍ରଥମ ଥର ବିଲିଅନାରୀ କ୍ଲବରେ ସ୍ଥାନ ପାଇଛନ୍ତି । ଶାହରୁଖଙ୍କ ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୧୨ ହଜାର ୪୯୦ କୋଟି । ଯେଉଁଠି ଜୁହି ଚାୱଲାଙ୍କ ୭ ହଜାର ୭୯୦ କୋଟି ଓ ହ୍ରିତିକ୍ ରୋଶନଙ୍କର ୨,୧୬୦ କୋଟି ମୂଲ୍ୟର ସମ୍ପତ୍ତି ରହିଛି ।
ହୁରୁନ ରିପୋର୍ଟ ଅନୁସାରେ ଭାରତରେ କୋଟିପତିଙ୍କ ସଂଖ୍ୟା ୩୫୦ରୁ ଉର୍ଦ୍ଧ୍ୱ ଅଟେ । ଦେଶର ସମସ୍ତ କୋଟିପତିଙ୍କ ମିଶାଇ ମୋଟ ୧୬୭ ଲକ୍ଷ କୋଟି ଟଙ୍କାରେ ପହଁଚିଛି । ଯାହାକି ଭାରତ ସମୁଦାୟ ଜିଡିପିର ଅଧା ଅଟେ । ନିଜେ ଗୋଡ଼ରେ ନିଜେ ଠିଆ ହୋଇ ସଫଳତା ପାଇଥିବା ବା ସେଲ୍ଫ-ମେଡ୍ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଗଲେ ତାଲିକାର ୬୬% ରହିଛନ୍ତି । ଅର୍ଥାତ ପ୍ରାୟ ୧,୧୧୫ ଜଣ ସେଲ୍ଫ-ମେଡ୍ ବ୍ୟକ୍ତି ଅଛନ୍ତି । ସେହିପରି ୭୪% ପ୍ରତିଶତ ନୂତନ ଧନୀ ବ୍ୟକ୍ତି ସାମିଲ ହୋଇଛନ୍ତି ।