ନୂଆଦିଲ୍ଲୀ: ଆଗକୁ ଆସୁଛି ଦୀପାବଳୀ । ସେଥିପାଇଁ ଭାରତର ପ୍ରତ୍ୟେକ ହିନ୍ଦୁ ଘରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କିଏ ଘର ସଫା କରୁଛି ତ ଆଉ କିଏ ଘର ସଜାଇବା ଆରମ୍ଭ କରିଦେଇଛି । ପ୍ରଭୁ ଶ୍ରୀରାମ ବନବାସ ସାରି ଫେରିବା ପରେ ଅଯୋଧ୍ୟାବାସୀ ଖୁସିରେ ବିଭୋର ହୋଇ ଦୀପ ଜାଳି ସ୍ୱାଗତ କରିଥିଲେ । ଏହା ଖାଲି ହିନ୍ଦୁ ଧର୍ମରେ ସୀମିତ ହୋଇରହିନାହିଁ । ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ଦୀପାବଳୀରେ ପୂଜା ନ କଲେ ମଧ୍ୟ ଘରକୁ ରଙ୍ଗୀନ ଆଲୋକରେ ସଜାଇବା ଏବଂ ବାଣ ଫୁଟାଇଥାଇ ପାଳନ କରନ୍ତି । କିନ୍ତୁ ଏଭଳି ଦୁର୍ଗାପୂଜା ଏବଂ ଦୀପବଳୀ ଭଳି ବଡ଼ ପର୍ବପର୍ବାଣୀରେ ଆର୍ଥିକ ବୋଝ ମଧ୍ୟ ପଡ଼ିଥାଏ । ଯାହାକୁ କମ୍ପାନୀ କିମ୍ବା ସରକାରଙ୍କ ଦ୍ୱାରା ଚାକିରିଆମାନଙ୍କୁ ଦିଆଯାଇଥିବା ବୋନସ୍ ଦ୍ୱାରା ଭରଣ ହୋଇଯାଏ ।
ବ୍ରିଟିଶ୍ ଅମଳରୁ ଆରମ୍ଭ
ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କର୍ମଚାରୀମାନଙ୍କୁ ବୋନସ୍ ଦିଆଯାଇଥାଏ । ପର୍ବପର୍ବାଣୀ ସମୟରେ କର୍ମଚାରୀଙ୍କ କାନ୍ଧରୁ ଆର୍ଥିକ ବୋଝ କମ୍ କରିବାକୁ ସରକାର ବୋନସ୍ ପ୍ରଦାନ କରନ୍ତି । କିନ୍ତୁ କେତେକ କମ୍ପାନୀମାନଙ୍କର ଦୀପାବଳୀ ବୋନସ୍ ମଧ୍ୟ ମିଳିନଥାଏ । ତେବେ ବୋନସ୍ ପରମ୍ପରା କାହିଁ କେବେଠାରୁ ଆରମ୍ଭ ହୋଇଛି । ଇଂରେଜ ଶାସନ ଅମଳରୁ ବୋନସ୍ ଆରମ୍ଭ ହୋଇଛି । ସର୍ବପ୍ରଥମେ ୧୯୪୦ ମସିହାରେ କର୍ମଚାରୀମାନଙ୍କୁ ଦୀପାବଳି ବୋନସ୍ ଦେବା ଆରମ୍ଭ ହୋଇଥିଲା ।
କ’ଣ ରହିଛି ନିୟମ ?
ଦେଶ ସ୍ୱାଧୀନତା ପାଇବା ପରେ ୧୯୬୫ ମସିହାରେ ପେମେଣ୍ଟ୍ ଅଫ୍ ବୋନସ୍ ଆଇନ ଆସିଲା । ଏହା ଶ୍ରମ ଆଇନରେ ଅଧିନରେ ଆସିଲା । ଆଇନ ଅନୁଯାୟୀ ସମସ୍ତ କାରଖାନା ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ପାଇଁ ପ୍ରଯୁଜ୍ୟ, ଯେଉଁଠାରେ ୨୦ କିମ୍ବା ତା’ଠାରୁ ଅଧିକ କର୍ମଚାରୀ ନିଯୁକ୍ତି ପାଆନ୍ତି ସେଠାରେ ବୋନସ୍ ପ୍ରଦାନ କରାଯିବ । ମାସିକ ଦରମାର ସର୍ବନିମ୍ନ ୮.୩୩ ପ୍ରତିଶତ ବୋନସ୍ ପ୍ରଦାନ କରାଯାଇଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା କର୍ମଚାରୀଙ୍କୁ ପ୍ରେରଣା ଦେବା ଏବଂ ଉତ୍ସାହ ବଢ଼ାଇବା । କମ୍ପାନୀରେ ୨୦ ଜଣ କର୍ମଚାରୀ ଅଧିକ କାମ କଲେ ପେମେଣ୍ଟ ଅଫ୍ ବୋନସ୍ ଆଇନ ଅଧୀନରେ ଆସିବ । ଯଦି ପରବର୍ତ୍ତୀ ସମୟରେ କର୍ମଚାରୀଙ୍କ ସଂଖ୍ୟା ୨୦ରୁ ହ୍ରାସ ପାଇଲା ତଥାପି କମ୍ପାନୀ ବୋନସ୍ ଦେବାକୁ ବାଧ୍ୟ ଅଟେ । ଯୋଗ୍ୟତା ପାଇଁ ଅତି କମରେ ପ୍ରତି ମାସର ଦରମା ୩,୫୦୦ ଟଙ୍କା ହେବା ଉଚିତ । ଏହି ଦେୟ ଏହି ସର୍ତ୍ତ ଉପରେ ନିର୍ଭର କରେ ଯେ ମାସିକ ୧୦,୦୦୦ ଟଙ୍କାରୁ ଅଧିକ ନ ଥିବା ମଜୁରୀ କିମ୍ବା ଦରମା ପାଉଥିବା କର୍ମଚାରୀମାନଙ୍କୁ ଦେୟ ବୋନସ୍ ମାସିକ ୩,୫୦୦ ଟଙ୍କା ହିସାବ କରାଯିବ । ଶିଳ୍ପ ବିବାଦ ଆଇନ, ୧୯୪୭ ଅନୁଯାୟୀ ଯେଉଁ ଶିଳ୍ପ / ପ୍ରତିଷ୍ଠାନ ପାଇଁ ଏହା ଉପଯୁକ୍ତ, ସେଗୁଡ଼ିକ ସମ୍ପର୍କରେ କେନ୍ଦ୍ର ସରକାର ଉପଯୁକ୍ତ ପ୍ରାଧିକରଣ ।