ନୂଆଦିଲ୍ଲୀ: ବିଶିଷ୍ଟ ଉଦ୍ୟୋଗପତି ତଥା ଟାଟା ସନ୍ସର ଚେୟାରମ୍ୟାନ ରତନ ଟାଟାଙ୍କ ପରଲୋକ ଘଟିଛି । ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିସ୍ଚାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ରତନ ଟାଟାଙ୍କ ଦେହାନ୍ତରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଏହା ସହିତ ବହୁ ବିଶିଷ୍ଟ ଶିଳ୍ପପତି ମାନେ ମଧ୍ୟ ଦୁଃଖ ବ୍ୟକ୍ତ କରିଛନ୍ତି ।
ରତନ ଟାଟା ୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୨୧ ବର୍ଷ ବୟସରେ ୧୯୯୧ରେ ଅଟୋଠୁ ନେଇ ଇସ୍ପାତ ପର୍ଯ୍ୟନ୍ତ କାରବାର ସହ ଜଡ଼ିତ ଟାଟା ଗ୍ରୁପର ଅଧ୍ୟକ୍ଷ ହୋଇଥିଲେ। ଚେୟାରମ୍ୟାନ ହେବା ପରେ ସେ ଟାଟା ଗ୍ରୁପକୁ ଏକ ନୂତନ ଶିଖରରେ ପହଞ୍ଚାଇଥିଲେ । ତାଙ୍କ ଜେଜେ ବାପା ଅମଳରୁ ସ୍ଥାପିତ ଟାଟାକୁ ୨୦୧୨ ମସିହା ପର୍ଯ୍ୟନ୍ତ ନେତୃତ୍ଵ ନେଇଥିଲେ । ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରି ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସ ରେ ଲେଖିଛନ୍ତି, “ଶ୍ରୀ ରତନ ଟାଟା ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟୀ, ଦୟାଳୁ ଆତ୍ମା ଏବଂ ଜଣେ ଅସାଧାରଣ ବ୍ୟକ୍ତି ଥିଲେ । ସେ ଭାରତର ଅନ୍ୟତମ ପୁରାତନ ତଥା ପ୍ରତିଷ୍ଠିତ ବ୍ୟବସାୟ ଗୃହକୁ ସ୍ଥିର ନେତୃତ୍ୱ ପ୍ରଦାନ କରିଥିଲେ । ଏଥି ସହିତ, ତାଙ୍କର ଅବଦାନ ବୋର୍ଡରୁମଠାରୁ ବହୁ ଦୂରରେ ରହିଲା । ତାଙ୍କର ନମ୍ରତା, ଦୟା ଏବଂ ଆମ ସମାଜକୁ ଉନ୍ନତ କରିବା ପାଇଁ ଅଦମ୍ୟ ପ୍ରତିବଦ୍ଧତା ହେତୁ ସେ ନିଜକୁ ଅନେକ ଲୋକଙ୍କ ଦ୍ୱାରା ଆଦୃତ ହୋଇ ପାରିଥିଲେ”।
ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ଗୌତମ ଆଦାନୀ, ମୁକେଶ ଅମ୍ବାନୀ, ହର୍ଷ ଗୋଏଙ୍କା ଏବଂ ନବୀନ ଜିନ୍ଦଲ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏହା ପୂର୍ବରୁ ଗତ ସୋମବାର ରତନ ଟାଟାଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିଥିବା ଖବର ଆସିଥିଲା। ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। କିନ୍ତୁ ଏହି ଖବରକୁ ଖଣ୍ଡନ କରିଥିଲେ ରତନ ଟାଟା। ତାଙ୍କ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଲେଖା ଯାଇଥିଲା ଯେ, ଏହି ଖବର ଭିତ୍ତିହୀନ ଏବଂ ଏଥିରେ କୌଣସି ସତ୍ୟତା ନାହିଁ।
ସେ କହିଥିଲେ, ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ମୁଁ ନିୟମିତ ସ୍ଵାସ୍ଥ୍ୟ ଯାଞ୍ଚ ପାଇଁ ମେଡିକାଲ୍ ଆସିଛି। ଚିନ୍ତା କରିବାର କୌଣସି ବିଷୟ ନୁହେଁ। ଜନତା ଓ ଗଣମାଧ୍ୟମକୁ ଭୁଲ୍ ସୂଚନା ପ୍ରଚାର ନ କରିବାକୁ ଅନୁରୋଧ ମଧ୍ୟ କରିଥିଲେ। ଲୋକଙ୍କୁ ଏମିତି ଖବର ପ୍ରତି ଧ୍ୟାନ ନ ଦେବାକୁ ଅପିଲ୍ କରିଥିଲେ।