ନୂଆଦିଲ୍ଲୀ: ପନିପରିବା ଓ ଇନ୍ଧନ ଦାମ କମିବା ଯୋଗୁଁ ଅଗଷ୍ଟ ମାସରେ ପାଇକାରୀ ବା ହୋଲସେଲ୍ ମୁଦ୍ରାସ୍ଫୀତି ଚାରି ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଅଗଷ୍ଟ ମାସରେ ହୋଲସେଲ୍ ମୁଦ୍ରାସ୍ଫୀତି ୧.୩୧ ପ୍ରତିଶତ ରହିଛି । ଜୁନ ମାସରେ ଏହା ୩.୪୩ ପ୍ରତିଶତ ସହ ୧୬ ମାସର ଉଚ୍ଚସ୍ତରରେ ଥିଲା । ଜୁଲାଇ ମାସରେ ହ୍ରାସ ପାଇ ୨.୦୪ ପ୍ରତିଶତ ସହ ତିନି ମାସର ନିମ୍ନସ୍ତରକୁ ଖସିଥିଲା । ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅନୁଯାୟୀ, ଅଗଷ୍ଟରେ ଖାଦ୍ୟ ପଦାର୍ଥ, ଖାଦ୍ୟ ପ୍ରକ୍ରିୟାକରଣ ବ୍ୟତୀତ ଟେକ୍ସଟାଇଲ୍ସ ଓ ମ୍ୟାନୁଫେକଚରିଂ ସମ୍ବନ୍ଧିତ ଉପକରଣର ଦର ବଢିବା କାରଣରୁ ଦରବୃଦ୍ଧି ପଜିଟିଭ ଜୋନରେ ରହିଛି । ଫଳରେ ପାର୍ବଣ ସିଜିନରେ ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି ।
ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ବର୍ଷ ସାରାର ୧୧.୪୩ ପ୍ରତିଶତ ତୁଳନାରେ ୩.୧୧ ପ୍ରତିଶତ ରହ ିଛି । ଜୁଲାଇ ମାସରେ ଏହା ୩.୪୫ ପ୍ରତିଶତ ରହିଥିଲା । ପନିପରିବାର ପାଇକାରୀ ମୁଦ୍ରାସ୍ଫୀତି ବର୍ଷ ସାରା ୪୮.୪୪ ପ୍ରତିଶତ ତୁଳନାରେ ଅଗଷ୍ଟ ମାସରେ ମାଇନଓ ୧୦.୧୧ ପ୍ରତିଶତ ରହିଥିଲା । ଜୁଲାଇ ମାସରେ ଏହା ମାଇନଓ ୮.୯ ପ୍ରତିଶତ ରହିଥିଲା । ସେହିପରି ଆଳୁର ମୁଦ୍ରାସ୍ଫୀତି ୭୭.୯୬ ପ୍ରତିଶତ, ପିଆଜର ୬୬.୭୫ ପ୍ରତିଶତ ଏବଂ ଡାଲିର ୧୮.୫୭ ପ୍ରତିଶତ ରହିଛି ।
ଅର୍ଥ ବିଶେଷଜ୍ଞ ଜାହ୍ନବୀ ପ୍ରଭାକରଙ୍କ ଅନୁଯାୟୀ, ଟମାଟର ଏବଂ ପିଆଜର ଦାମ କମିବା କାରଣରୁ ପରିବା ମୁଦ୍ରାସ୍ଫୀତି ତଳକୁ ଖସିଛି । ଅଶୋଧିତ ତୈଳ ଦର ଦାମ ହ୍ରାସ ପାଇ ମାଇନଓ ୦.୭ ପ୍ରତିଶତରେ ରହିଥିଲା । ଆମର ଅନୁମାନ ଆଗାମୀ ସମୟରେ ହୋଲସେଲ୍ ମୁଦ୍ରାସ୍ଫୀତି ଆହୁରି ହ୍ରାସ ପାଇବ । ଖାଦ୍ୟ ପଦାର୍ଥ ଏବଂ ପନିପରିବାର ଦର ହ୍ରାସ ପାଇବ । ଇନ୍ଧନରେ ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିବ ।