ଦେଶରେ ବଢୁଛି ୟୁପିଆଇ କାରବାର । କ୍ୟାସ ବଦଳରେ ୟୁପିଆଇରେ କାରବାର କରିବା ଅଧିକାଂଶ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଟଙ୍କା ଉଠାଇବା ପାଇଁ ଆଉ ଏଟିଏମ୍ ଆଗରେ ଭିଡ଼ ଦେଖିବାକୁ ମିଳୁନି । ହାତ ମୁଠାରେ ମୋବାଇଲ ଖୋଲିଲେ ଗୋଟିଏ ଆକାଉଣ୍ଟରୁ ଆଉ ଏକ ଆକାଉଣ୍ଟକୁ ଚାଲିଯାଉଛି ଟଙ୍କା । ଏପରିକି ଚା’ ଦୋକାନରୁ ଆରମ୍ଭ କରି ପନିପରିବା ଦୋକାନ ଯାଏଁ ସବୁଠି QR କୋଡ୍ ସ୍କାନର୍ ଲାଗିଥିବା ଦେଖିବାକୁ ମିଳୁଛି। ଯାହାଦ୍ୱାରା ମାତ୍ର କେଇ ସେକେଣ୍ଡରେ ଆପଣ ଟଙ୍କା ପୈଠ କରିପାରିବେ। ପ୍ରତି ୧୦ଜଣଙ୍କ ମଧ୍ୟରେ ୪ଜଣଙ୍କ ଜୀବନରେ ଏହା ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି।
ଏବେ ଏହି ୟୁପିଆଇକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ୨୦୨୪ ମସିହାରେ ହୋଇଛି ୟୁପିଆଇ ଟାଞ୍ଜାକ୍ସନରେ ରେକର୍ଡ ସଂଖ୍ୟକ କାରବାର । ୨୦୨୪ ଜାନୁଆରୀରୁ ନଭେମ୍ବର ମଧ୍ୟରେ ୨୨୩ ଲକ୍ଷ କୋଟି ଟଙ୍କାର ୟୁପିଆଇ ଟ୍ରାଞ୍ଜାକ୍ସନ୍ ହୋଇଛି । ୧୫ ହଜାର ୫୪୭ କୋଟି ଟ୍ରାଞ୍ଜାକ୍ସନରେ ୨୨୩ ଲକ୍ଷ କୋଟି ଟଙ୍କା କାରବାର ହୋଇଥିବା ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ।
୨୦୨୪ ଅକ୍ଟୋବର ମାସରେ ୧୬୫ କୋଟି ୮୦ ଲକ୍ଷ ଟ୍ରାଞ୍ଜାକ୍ସନ ଓ ୨୩.୫୦ ଲକ୍ଷ କୋଟି ଟଙ୍କାର କାରବାର ପରେ ନଭେମ୍ବରରେ ୟୁପିଆଇ ଟ୍ରାଞ୍ଜାକ୍ସନ ସଂଖ୍ୟା ୧୫୪.୮୦ କୋଟିରେ ପହଞ୍ଚିଛି,ଯାହା ବାର୍ଷିକ ଆଧାରରେ ୩୮ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୬ରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ( NPCI) ଦ୍ୱାରା ୟୁପିଆଇ ଆରମ୍ଭ କରାଯାଇଥିଲା । ୟୁପିଆଇ ସହିତ ଏକାଧିକ ମୋବାଇଲ୍ ଆକାଉଣ୍ଟରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଏକତ୍ର କରି ଅନଲାଇନ୍ ପେମେଣ୍ଟ ସୁବିଧା ଉପଲବ୍ଧ କରାଯାଇଛି।
କେବଳ ଭାରତରେ ନୁହେଁ ଭାରତ ବାହାରେ ବି ୟୁପିଆଇର ବ୍ୟବହାର ବଢିବାରେ ଲାଗିଛି । ଏବେ ୟୁଏଇ, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଓ ମରିସସ ଭଳି ଦେଶରେ ୟୁପିଆଇର ପ୍ରଚଳନ ହେଉଛି।