ଭୁୁବନେଶ୍ୱର: ଚଳିତବର୍ଷ ଅକ୍ଟୋବର ମାସ ଶେଷସୁଦ୍ଧା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ମୁଣ୍ଡ ଉପରେ ୨୦୧୭୭ ଟଙ୍କାର ଋଣବୋଝ ରହିଛି । କିନ୍ତୁ ଏହି ଋଣବୋଝ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍ । ତେଣୁ ରାଜ୍ୟର ଋଣଭାର ଓ ମୁଣ୍ଡପିଛା ଋଣକୁ ନେଇ ବିଧାୟକମାନେ ଚିନ୍ତା ବ୍ୟକ୍ତ କରିବାର ଆବଶ୍ୟକତା ନାହିଁ। ଆଜି ବିଧାନସଭାରେ ଅର୍ଥ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପକ୍ଷରୁ ମତ ରଖିଛନ୍ତି ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୨୧୫୫ କୋଟି ୭୩ଲକ୍ଷ ୫୧ହଜାର ଟଙ୍କାର ଅତିରିକ୍ତ ବ୍ୟୟବରାଦ ନିମନ୍ତେ ବ୍ୟୟମଞ୍ଜୁରୀ ବିଲ ମଧ୍ୟ ଆଜି ଅନୁମୋଦନ ଲାଭ କରିଛି । ବ୍ୟୟମଞ୍ଜୁରୀ ବିଲ୍ ଉପରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କ ଆଲୋଚନା ପରେ ଅର୍ଥମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି ଯେ, କେତେକ ବିଧାୟକ ରାଜ୍ୟର ଋଣବୋଝ ଓ ମୁଣ୍ଡପିଛା ଋଣକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ବଜେଟ ପରିଚାଳନା ଅଧିନିୟମ-୨୦୦୫ ଅନୁଯାୟୀ ରାଜ୍ୟର ଋଣଭାର ରାଜ୍ୟ ସକାଳ ଘରୋଇ ଉତ୍ପାଦ(ଜିଡିପି)ର ୨୫ ପ୍ରତିଶତ ମଧ୍ୟରେ ସୀମିତ ରହିବା ଜରୁରୀ ।
ରାଜ୍ୟ ମହାଲେଖାକାରଙ୍କଠୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୪ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟର ରାଜସ୍ୱ ବଳକା ସ୍ଥିତି ବଜାୟ ଥିବାବେଳେ ଋଣଭାର ମୋଟ ରାଜ୍ୟ ଜିଡିପି ଅନୁପାତ ୧୦.୧୨ ପ୍ରତିଶତ ରହିଛି । ସୁଧ ଦେୟ ଓ ରାଜସ୍ୱ ଆୟର ଅନୁପାତ ମଧ୍ୟ ୧.୮୫ ପ୍ରତିଶତରେ ସୀମିତ ରହିଛି । ତେଣୁ ଏସବୁ ବିତ୍ତୀୟ ସୂଚକାଙ୍କ ଧାର୍ଯ୍ୟ ସୀମା ତୁଳନାରେ ଯଥେଷ୍ଟ ତଳେ ରହିଅଛି ।ଚଳିତବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ଆମର ଋଣଭାର ଗତବର୍ଷ ଶେଷର ଋଣଭାର ତୁଳନାରେ ୨୫୯୭କୋଟି ହ୍ରାସ ପାଇଛି ।