ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୫-୨୬ରେ ଦ୍ୱିତୀୟ ତ୍ରୈମାସିକରେ ଭାରତ ଅର୍ଥ ବ୍ୟବସ୍ଥା ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରିଛି । ଜିଏସଟି ସଂସ୍କାର ପରେ ଭାରତର ବାସ୍ତବ ସକଳ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ଲମ୍ଫ ମାରିଛି । ଦେଶର ବାସ୍ତବିକ ଜିଡିପି ୮.୨ ପ୍ରତିଶତ ବୃଦ୍ଧି ପାଇଛି । ଯାହାକି ଗତ ବର୍ଷର ଏହି ସମୟର ତୁଳନାରେ ୫.୬ ପ୍ରତିଶତ ଅଧିକ ଅଟେ ।
ଜାତୀୟ ପରିସଂଖ୍ୟାନ କାର୍ୟ୍ୟାଳୟ (ଏନ୍ଏସ୍ଓ) ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ (ଜୁଲାଇ-ସେପ୍ଟେମ୍ବର)ର ଜିଡିପି ପ୍ରକାଶ ପାଇଛି । ଏନ୍ଏସ୍ଓ ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁସାରେ, ଦେଶର ବାସ୍ତବିକ ଜିଡିପି ୮.୨ ପ୍ରତିଶତ ବୃଦ୍ଧି ପାଇଛି । ଉତ୍ପାଦନ, ଭିତ୍ତିଭୂମି ଏବଂ ସୁଦୃଢ଼ ସେବା କ୍ଷେତ୍ର ଜିଡିପି ବୃଦ୍ଧିରେ ଏକ ବଡ଼ ଅଂଶର ଯୋଗଦାନ ରହିଛି । ସ୍ଥିର ମୂଲ୍ୟ ଉପରେ ଜିଡିପି ୪୮.୬୩ ଲକ୍ଷ କୋଟି ରହିଛି । ଯାହା ଏକ ବର୍ଷ ତଳେ ୪୪.୯୪ ଲକ୍ଷ କୋଟି ଥିଲା । ସେହିପରି ନାମମାତ୍ର ଜିଡିପି ୮.୭ ପ୍ରତିଶତ ବୃଦ୍ଧି ପାଇ ୮୫.୨୫ ଲକ୍ଷ ବୃଦ୍ଧି ପାଇଛି ।
ଉତ୍ପାଦନ କ୍ଷେତ୍ରରେ ୯.୧ ପ୍ରତିଶତ, ନିର୍ମାଣରେ ୭.୨ ପ୍ରତିଶତ, ଦ୍ୱିତୀୟକ କ୍ଷେତ୍ରରେ ୮.୧ ପ୍ରତିଶତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ମୋଟାମୋଟି ଭାବେ କହିବାକୁ ଗଲେ ଭାରତୀୟ ଅର୍ଥ ବ୍ୟବସ୍ଥା ସେବା କ୍ଷେତ୍ର ସବୁଠାରୁ ଭଲ ପ୍ରଦର୍ଶନ କରିଛି । ତୃତୀୟକ କ୍ଷେତ୍ରରେ ୯.୨ ପ୍ରତିଶତ ବୃଦ୍ଧି ଘଟିଛି । ଯାହାକି ଅର୍ଥ, ରିଏଲ୍ ଇଷ୍ଟେଟ୍ ଏବଂ ଅନ୍ୟାନ୍ୟ ବ୍ୟବସାୟିକ କ୍ଷେତ୍ରରେ ୧୦.୨ ପ୍ରତିଶତ ବୃଦ୍ଧି ଘଟିଛି ।
ସେହିଭଳି ଘରୋଇ ବ୍ୟବହାର କ୍ଷେତ୍ରରେ ଭଳ ଅଭିବୃଦ୍ଧି ଦେଖିବାକୁ ମିଳିଛି । ବାସ୍ତବ ଘରୋଇ ଅନ୍ତିମ ବ୍ୟବହାର ଖର୍ଚ୍ଚ (ପିଏଫସିଇ)ରେ ଦ୍ୱିତୀୟ ତ୍ରୈମାସିକରେ ୭.୮ ପ୍ରତିଶତ ବୃଦ୍ଧି ହାର ହାସଲ କରିଛି । ପ୍ରଥମ ତ୍ରୈମାସ (ଏପ୍ରିଲ-ଜୁନ)ରେ ୭.୦ ପ୍ରତିଶତ ବୃଦ୍ଧି ହାର ହାସଲ କରିଥିଲା ।
ତେବେ କୃଷି କ୍ଷେତ୍ରର ଡିଜିପି ମାନ୍ଦା ରହିଛି । କୃଷି କ୍ଷେତ୍ରରେ ମାତ୍ର ୩.୫ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ବିଦ୍ୟୁତ, ଗ୍ୟାସ୍ ଏବଂ ଜଳ ଯୋଗାଣ କ୍ଷେତ୍ରରେ ୪.୪ ପ୍ରତିଶତ ବୃଦ୍ଧି ଘଟିଛି ।
ମୋଟାମୋଟି କହିବାକୁ ଗଲେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ୮ ପ୍ରତିଶତ ଜିଡିପି ଦର ବୃଦ୍ଧି ହୋଇଛି । ଯାହାକି ଗତବର୍ଷ ପ୍ରଥମ ୬ ମାସ ଠାରୁ ୬.୧ ପ୍ରତିଶତ ଅଧିକ ଅଟେ ।
୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ୍) ମଧ୍ୟରେ ଭାରତର ବାସ୍ତବ ସକଳ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ଆନୁମାନିକ ୭.୮% ପ୍ରତିଶତ ରହିଥିବା ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ୟ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ସୂଚନା ମିଳିଛି । ୨୦୨୪-୨୫ ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୫% ଥିଲା।