ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ଏୟାରଲାଇନ୍ସ ଇଣ୍ଡିଗୋ ସଂପ୍ରତି ନିଜର ପରିଚାଳନା ସଙ୍କଟ ଦେଇ ଗତି କରୁଛି । ମଙ୍ଗଳବାର ଓ ବୁଧବାର ଏୟାରଲାଇନର ୨୦୦ରୁ ଅଧିକ ଉଡାଣ ରଦ୍ଦ ହୋଇଥିବା ବେଳେ ଶତାଧିକ ଉଡାଣ ବିଳମ୍ବରେ ଚାଲିଛି । ଏହି କାରଣରୁ ଦେଶର ପ୍ରମୁଖ ବିମାନ ବନ୍ଦରରେ ଯାତ୍ରୀଙ୍କ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ପୁଣେ ଓ ହାଇଦ୍ରାବାଦ ପରି ପ୍ରମୁଖ ବିମାନ ବନ୍ଦରରେ ଯାତ୍ରୀଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି । ହଜାର ହଜାର ଲୋକ ଫସି ରହି ହନ୍ତସନ୍ତ ହେଉଛନ୍ତି ।
ଘରୋଇ ବିମାନ କମ୍ପାନି ଇଣ୍ଡିଗୋର ଗୁରୁବାର ତିନି ପ୍ରମୁଖ ବିମାନ ବନ୍ଦରରେ ୧୮୦ରୁ ଅଧିକ ଉଡାଣ ରଦ୍ଦ ହୋଇଛି । ଗୁରୁଗ୍ରାମ ସ୍ଥିତ ଏୟାରଲାଇନ, ନିଜର ପାଇଲଟଙ୍କ ପାଇଁ ଉଡାଣ ଡ୍ୟୁଟି ଓ ବିଶ୍ରାମ ଅବଧିର ନୂଆ ନିୟମ କାରଣରୁ ଏମିତି ଅବସ୍ଥା ଦେଇ ଗତି କରୁଛି । ପାଇଲଟଙ୍କ ଅଭାବ ମଧ୍ୟ ବଡ କାରଣ ପାଲଟିଛି ।
ଋିପୋର୍ଟ ଅନୁଯାୟୀ, ଇଣ୍ଡିଗୋ ଗୁରୁବାର ତିନୋଟି ବିମାନ ବନ୍ଦର ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁରୁ ୧୮୦ରୁ ଅଧିକ ଉଡାଣ ରଦ୍ଦ କରିଛି । ମୁମ୍ବାଇ ବିମାନ ବନ୍ଦରରେ ରଦ୍ଦ ହୋଇଥିବା ଉଡାଣ ସଂଖ୍ୟା ୮୬ ରହିଛି । ଏଥିରୁ ୪୧ଟି ଆଗମନ ଏବଂ ୪୫ଟି ପ୍ରସ୍ଥାନ ବିମାନ ସାମିଲ୍ । ଅନ୍ୟପଟେ ବେଙ୍ଗାଲୁରୁରେ ୪୧ ଆଗମନ ଉଡାଣ ସହିତ ୭୩ ଉଡାଣ ରଦ୍ଦ କରାଯାଇଛି । ଦିଲ୍ଲୀ ବିମାନ ବନ୍ଦରରେ ଏ ପର୍ଯ୍ୟନ୍ତ ୩୩ ଉଡାଣ ରଦ୍ଦ ହୋଇଛି । ଦିନ ଗଡିବା ସହ ରଦ୍ଦ ବିମାନ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି ।
ଏମିତି ସ୍ଥିତି କାରଣରୁ ଏୟାର ଲାଇନର ଅନ ଟାଇମ ପରଫରମାନ୍ସ(ଓଟିପି) ଛଅଟି ପ୍ରମୁଖ ବିମାନ ବନ୍ଦର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଉପରେ ଡିସେମ୍ବର ୩ ତାରିଖରେ ୧୯.୭ ପ୍ରତିଶତକୁ ଖସି ଆସିଛି । କାରଣ ପାଇଲଟ ଏବଂ ବିମାନ ସଞ୍ଚାଳନ କର୍ମଚାରୀଙ୍କ ଅଭାବଜନିତ ସମସ୍ୟା ଦେଇ ଗତି କରୁଛି ଏୟାରଲାଇନ ।
Also read: ଭାରତୀୟ ରୋଷେୟାଙ୍କ ହାତରୁ ଖାଦ୍ୟ ଖାଇବେ ନାହିଁ ପୁଟିନ, ତେବେ କିଏ ତିଆରି କରିବ ନୈଶ୍ୟ ଭୋଜନ ?