ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ରାଜକୋଷ ଭରିଲା ଜିଏସଟି ସଂଗ୍ରହ। ୨୦୨୪ ନଭେମ୍ବରରେ ଭାରତର ବସ୍ତୁ ଓ ସେବା କର(ଜିଏସଟି) ସଂଗ୍ରହ ୮.୫ ପ୍ରତିଶତରୁ ବଢି ୧.୮୨ ଲକ୍ଷ କୋଟିରେ ପହଞ୍ଚିଛି। ଏ ନେଇ ରବିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଅର୍ଥ ମନ୍ତ୍ରଣାଳୟ ଦ୍ଵାରା ଜାରି ତଥ୍ୟ ଅନୁସାରେ, ନଭେମ୍ବର ମାସରେ ମୋଟ୍ ଜିଏସଟି ସଂଗ୍ରହ ୧.୮୨ ଲକ୍ଷ କୋଟି ରହିଛି । ଏଥିରେ କେନ୍ଦ୍ରୀୟ ଜିଏସଟି ୩୪ ହଜାର ୧୪୧ କୋଟି, ରାଜ୍ୟ ଜିଏସଟି ୪୩ ହଜାର ୪୭ କୋଟି, ଏକୀକୃତ ଆଇଜିଏସଟି ୯୧, ୮୨୮ କୋଟି ଓ ଉପକର ୧୩,୨୫୩ କୋଟି ଟଙ୍କା ରହିଛି।
ଗତ ମାସରେ ଅର୍ଥାତ ଅକ୍ଟୋବରରେ ଜିଏସଟି ସଂଗ୍ରହ ୯ ପ୍ରତିଶତ ବୃଦ୍ଧି ଘଟି ୧.୮୭ ଲକ୍ଷ କୋଟି ରହିଥିଲା। ଏହା ସବୁଠୁ ଦ୍ଵିତୀୟ ବଡ଼ ଜିଏସଟି ସଂଗ୍ରହ ଥିଲା। ଜିଏସଟି ସଂଗ୍ରହରେ ଚଳିତ ବର୍ଷ ଏପ୍ରିଲ ମାସ ସବୁ ରେକର୍ଡ ଭାଙ୍ଗିଥିଲା । ଏହି ମାସରେ ଜିଏସଟି ସଂଗ୍ରହ ୨.୧୦ ଲକ୍ଷ କୋଟି ରହିଥିଲା। କିନ୍ତୁ କିଛି ମାସ ହେବ ଜିଏସଟି ସଂଗ୍ରହ ଅପେକ୍ଷାକୃତ ହ୍ରାସ ଘଟିଥିଲା। କିନ୍ତୁ ନଭେମ୍ବରରେ ଏଥିରେ ବୃଦ୍ଧି ଦେଖିବାକୁ ମିଳିଛି।
ଜିଏସଟି ସଂଗ୍ରହରେ ବୃଦ୍ଧି ଘଟିବା ଅର୍ଥନୀତି ସୁଦୃଢ ଥିବାର ସଙ୍କେତ ଦେଉଥିବା ବେଳେ ଅନ୍ୟପଟେ ଦରବୃଦ୍ଧିକୁ ମଧ୍ୟ ରେଖାଙ୍କିତ କରୁଛି । ଜିଏସଟି ସଂଗ୍ରହ ବଢିଲେ ସରକାରଙ୍କୁ ବିକାଶମୂଳକ କାମ ସଡ଼କ, ସ୍ଵାସ୍ଥ୍ୟ ଓ ଶିକ୍ଷା ପରି ଆନୁସଙ୍ଗିକ ଭିତ୍ତିଭୂମି ସୁଧାରିବାରେ ବେଶ ସହାୟକ ହୋଇଥାଏ। ଏହା ବ୍ୟତୀତ ଉଚ୍ଚ ଜିଏସଟି ସଂଗ୍ରହ ଅର୍ଥବ୍ୟବସ୍ଥାରେ ଚାହିଦ ସହ ଖର୍ଚ୍ଚ ବୃଦ୍ଧି ଘଟୁଥିବା ସଙ୍କେତ ଦେଇଥାଏ।
କିନ୍ତୁ ବର୍ଦ୍ଧିତ ଜିଏସଟି ସଂଗ୍ରହ ଦରବୃଦ୍ଧିର ମଧ୍ୟ ସଙ୍କେତ ଦେଇଥାଏ। ସର୍ବଦା କମ୍ପାନିଗୁଡ଼ିକ ଟ୍ୟାକ୍ସ ବୃଦ୍ଧିର ବୋଝ ଖାଉଟିଙ୍କ ଉପରେ ଲଦି ଦେଇଥାନ୍ତି। ଯାହା ଫଳରେ ଦର ବଢିବା ସହ ଟ୍ୟାକ୍ସ ସଂଗ୍ରହର ପରିମାଣ ବଢିଥାଏ।