ନୂଆଦିଲ୍ଲୀ: Amazon AWSର ସର୍ଭର ଡାଉନ୍ ହେବାର କିଛି ଦିନ ପରେ ମାଇକ୍ରୋସଫ୍ଟର ପ୍ରମୁଖ କ୍ଲାଉଡ୍ ସେବା ‘Azure’ ମଧ୍ୟ ଏକ ବଡ଼ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଛି। ବୁଧବାର ଦିନ ବିଭ୍ରାଟ ଯୋଗୁଁ ସାରା ବିଶ୍ୱରେ ହଜାର ହଜାର ଉପଭୋକ୍ତା ମାଇକ୍ରୋସଫ୍ଟ ସେବାଗୁଡ଼ିକୁ ଆକ୍ସେସ୍ କରିପାରୁନାହାଁନ୍ତି।
ଡାଉନ୍ଡିଟେକ୍ଟର ୱେବସାଇଟ୍ ଅନୁଯାୟୀ Azure ପ୍ଲାଟଫର୍ମରେ ଏହି ବଡ଼ ଯାନ୍ତ୍ରିକ ତ୍ରୁଟି ୧୬,୦୦୦ରୁ ଅଧିକ ଉପଭୋକ୍ତାଙ୍କୁ ପ୍ରଭାବିତ କରିଛି। ମାଇକ୍ରୋସଫ୍ଟ ୩୬୫, Teams, Word, Excel ଏବଂ ମାଇକ୍ରୋସଫ୍ଟ ଷ୍ଟୋର ପରି ସେବାଗୁଡ଼ିକ ଡାଉନ୍ ଥିଲା। ପ୍ରାୟ ୯,୦୦୦ ଉପଭୋକ୍ତା ମାଇକ୍ରୋସଫ୍ଟ ୩୬୫ରେ ଲଗ୍ ଇନ୍ କରିପାରି ନଥିଲେ।
ରିପୋର୍ଟ ଅନୁସାରେ ଏହି ବିଭ୍ରାଟ କେବଳ ଟେକ୍ କ୍ଷେତ୍ର ନୁହେଁ ବରଂ ଖୁଚୁରା ଏବଂ ଗେମିଂ ଶିଳ୍ପକୁ ମଧ୍ୟ ପ୍ରଭାବିତ କରିଛି। Starbucks, Kroger, ଏବଂ Costco ସମେତ ଅନେକ ପ୍ରମୁଖ କମ୍ପାନୀର ଅନଲାଇନ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା, ଯେଉଁଥିରେ Minecraft ସର୍ଭର ମଧ୍ୟ ଅନ୍ତର୍ଭୁକ୍ତ।
ରିପୋର୍ଟ ଅନୁଯାୟୀ ଏହି ତ୍ରୁଟି ୨୦୨୫ ଅକ୍ଟୋବର ୨୯ରେ ଆରମ୍ଭ ହୋଇଥିଲା ଏବଂ ମାଇକ୍ରୋସଫ୍ଟର କ୍ଲାଉଡ୍ ନେଟୱାର୍କ ସିଷ୍ଟମ ଉପରେ ବ୍ୟାପକ ପ୍ରଭାବ ପକାଇଥିଲା। କମ୍ପାନୀ ବର୍ତ୍ତମାନ ସର୍ଭରକୁ ପୁନଃସ୍ଥାପିତ କରିବା ପାଇଁ କାମ କରୁଛି।
ଅଧିକ ପଢ଼ନ୍ତୁ: ୬ ବର୍ଷ ପରେ ଆଜି ଭେଟ ହେବେ ଟ୍ରମ୍ପ-ଜିନପିଙ୍ଗ