ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ଟ୍ୟାକ୍ସି ଡ୍ରାଇଭରଙ୍କ ପାଇଁ ସରକାର ଏକ ବଡ଼ ଖୁସି ଖବର ଦେଇଛନ୍ତି। ଏବେ ଏହି ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ତୃତୀୟ ପକ୍ଷ କମ୍ପାନୀ ଯଥା ଓଲା, ଉବର ଏବଂ ରାପିଡୋକୁ କମିଶନ ଦେବାକୁ ପଡ଼ିବ ନାହିଁ। କାରଣ ଦେଶର ପ୍ରଥମ ସମବାୟ ଟ୍ୟାକ୍ସି ସେବା ଭାବେ 'ଭାରତ ଟ୍ୟାକ୍ସି ' ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହାର ପାଇଲଟ୍ ପ୍ରୋଜେକ୍ଟ ନଭେମ୍ବରରେ ଦିଲ୍ଲୀରୁ ଆରମ୍ଭ ହେବ, ଯେଉଁଥିରେ ୬୫୦ ଜଣ ଡ୍ରାଇଭର ସାମିଲ ହେବେ। ଏହା ପରେ, ଡିସେମ୍ବରରୁ, ଏହି ସେବା ଧୀରେ ଧୀରେ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଆରମ୍ଭ ହେବ। ସେତେବେଳକୁ ୫୦୦୦ ଡ୍ରାଇଭର ଏବଂ ମହିଳା ଡ୍ରାଇଭର ଏଥିରେ ଯୋଗଦେବେ।
ସରକାରଙ୍କ ନୂତନ ପଦକ୍ଷେପ: ଘରୋଇ ଆପ୍ସ ସହିତ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି
ବର୍ତ୍ତମାନ ଓଲା ଏବଂ ଉବର ଭଳି ଘରୋଇ କମ୍ପାନୀଗୁଡ଼ିକ ଟ୍ୟାକ୍ସି ସେବା ପ୍ରଦାନ କରୁଛନ୍ତି, କିନ୍ତୁ ସେମାନଙ୍କର ସୁରକ୍ଷା ଏବଂ ଭଡ଼ା ସ୍ୱଚ୍ଛତା ଉପରେ ଅନେକ ସମୟରେ ପ୍ରଶ୍ନ ଉଠିଛି। ଏହାକୁ ଧ୍ୟାନରେ ରଖି, କେନ୍ଦ୍ର ସରକାର ନୂଆ କ୍ୟାବ୍ ସର୍ଭିସ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି ।
ଭାରତ ଟ୍ୟାକ୍ସିକୁ ସହଯୋଗ ମନ୍ତ୍ରଣାଳୟ ଏବଂ ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ (NeGD) ଦ୍ୱାରା ବିକଶିତ କରାଯାଇଥିଲା। ଡ୍ରାଇଭରମାନେ ମଧ୍ୟ ସହ-ମାଲିକ ହେବେ। ସରକାର ସମ୍ପ୍ରତି ସହକାର ଟ୍ୟାକ୍ସି କୋଅପରେଟିଭ୍ ଲିମିଟେଡ୍ ସହିତ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛନ୍ତି।
ଅଡୁଆରେ ଓଲା, ଉବର ଏବଂ ରାପିଡୋ
ଭାରତ ଟ୍ୟାକ୍ସି ନାମକ ଏହି କ୍ୟାବ୍ ସେବା, ଓଲା, ଉବର ଏବଂ ରାପିଡୋ ଭଳି କମ୍ପାନୀଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିପାରେ, କାରଣ ଏହି ସେବା ଦ୍ୱାରା ସୃଷ୍ଟି ହେଉଥିବା ସମ୍ପୂର୍ଣ୍ଣ ରାଜସ୍ୱ ଡ୍ରାଇଭରଙ୍କ ପାଖକୁ ଯିବ, ଅର୍ଥାତ୍ କୌଣସି କମିଶନ କିମ୍ବା ପ୍ଲାଟଫର୍ମ ଫିସ୍ ରହିବ ନାହିଁ। ଭାରତ ଟ୍ୟାକ୍ସିରେ ଗାଡ଼ି ମାଲିକ କିମ୍ବା ଡ୍ରାଇଭରଙ୍କୁ ଆଉ ଆପକୁ କମିସନ ଦେବାକୁ ପଡ଼ିବନି। ଏଭଳି କ୍ଷେତ୍ରରେ ଓଲା, ଉବେର ଭଳି କମ୍ପାନି ନିଜ ଗ୍ରାହକ ହରାଇବେ ବୋଲି ଚର୍ଚ୍ଚା ହେଉଛି।
କେମିତି ବ୍ୟବହାର କରିବେ?
ଓଲା-ଉବେର ଆପ୍ ଭଳି ଆପଣ ଭାରତ ଟ୍ୟାକ୍ସି ଆପ୍ ମଧ୍ୟ ବ୍ୟବହାର କରିପାରିବେ। ଏହି ଆପ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିବ। ଖାସ୍ କଥା ହେଉଛି, ଡ୍ରାଇଭରଙ୍କୁ ଏଥିରେ ଆପ୍ ମାଲିକଙ୍କୁ କମିସନ ଦେବାକୁ ପଡ଼ିବନି। ଯାହାଦ୍ୱାରା ଉଭୟ ଗ୍ରାହକ ଓ ଗାଡ଼ି ମାଲିକ ଲାଭବାନ ହେବେ।