ନୂଆଦିଲ୍ଲୀ: ଆସନ୍ତାକାଲି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତାଙ୍କ ସ୍ଥାନରେ ରାଜସ୍ୱ ସଚିବ ସଞ୍ଜୟ ମଲହୋତ୍ରାଙ୍କୁ ଆରବିଆଇର ନୂତନ ଗଭର୍ଣ୍ଣରଭାବେ ନିଯୁକ୍ତି ମିଳିଛି । କେନ୍ଦ୍ର କ୍ୟାବିନେଟ୍ କମିଟିର ନିଷ୍ପତ୍ତି ଅନୁଯାୟୀ ସେ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଆରବିଆଇର ଗଭର୍ଣ୍ଣରଭାବେ ଏହି ଗୁରୁ ଦାୟିତ୍ୱ ସମ୍ଭାଳିବେ । ସେ ବୁଧବାରଠାରୁ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।
ଭାରତୀୟ ପ୍ରଶାସନିକ ସେବାର ୧୯୯୦ ବ୍ୟାଚର ରାଜସ୍ଥାନ କ୍ୟାଡର ସଞ୍ଜୟ ମଲହୋତ୍ରା ଆଇଆଇଟି କାନପୁରରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ହାସଲ କରିଛନ୍ତି । ଏହା ପରେ ସେ ୟୁଏସସ୍ଥିତ ପ୍ରିନ୍ସଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଛନ୍ତି ।
ସଞ୍ଜୟ ମଲହୋତ୍ରା ୩୩ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ଦାୟିତ୍ୱ ସମ୍ଭାଳିଛନ୍ତି । ଶକ୍ତି, ଅର୍ଥ, ଟିକସ, ଆଇଟି, ଖଣି ଆଦି ବିଭିନ୍ନ କ୍ଷେତ୍ରରେ ସେ ନିଜର ଦକ୍ଷତାକୁ ପ୍ରମାଣିତ କରିଛନ୍ତି ।
ଆଇଏଏସ୍ ସଞ୍ଜୟ ମଲହୋତ୍ରା ରାଜସ୍ୱ ବିଭାଗର ସଚିବ ପୂର୍ବରୁ ସେ ଅର୍ଥ ସେବା ବିଭାଗରେ ଅବସ୍ଥାପିତ ଥିଲେ । ଜିଏସଟି ପରିଷଦରେ ମଧ୍ୟ ପୂର୍ବ ଅଧିକାରୀକାରୀ ଭାବେ କାର୍ଯ୍ୟ କରିଛନ୍ତି । ସେ ଉଭୟ ଦେଶ ଓ ରାଜ୍ୟର ଅର୍ଥ ବିଭାଗରେ ଅଭିଜ୍ଞତା ହାସଲ କରିଛନ୍ତି । ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଟିକସ ବ୍ୟବସ୍ଥାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି । ଆସନ୍ତାକାଲି ସେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ୨୦୧୮ରୁ ସେ ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ଆସୁଥିଲେ । ୨୦୨୧ରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । ମାତ୍ର କେନ୍ଦ୍ର ସରକାର ପୁଣି ଥରେ ତାଙ୍କର କାର୍ଯ୍ୟକାଳ ଅବଧିକୁ ବୃଦ୍ଧି କରିଥିଲେ । ୨୦୨୪ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସେ ଦ୍ୱିତୀୟ ଥର ନିଯୁକ୍ତି ପାଇଥିଲେ ।