ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଅଭିନେତା ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ୨: ଦ ରୁଲ୍' ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶେଷରେ ଡିସେମ୍ବର ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ରିଲିଜ୍ ପୂର୍ବରୁ ଫିଲ୍ମକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା, ପରଦାକୁ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଆହୁରି କ୍ରେଜ୍ ଦେଖିବାକୁ ମିଳୁଛି। ତିନି ଦିନ ଭିତରେ 'ପୁଷ୍ପା-୨: ଦ ରୁଲ୍' ଭାରତରେ ୪୦୦ କୋଟି କ୍ଲବରେ ପ୍ରବେଶ କରିବାର ନିକଟତର ହୋଇଛି।
ଅଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା-୨: ଦ ରୁଲ୍' ପ୍ରଥମ ଦିନରେ ୧୬୪.୨୫ କୋଟି ଟଙ୍କାର ରେକର୍ଡ ଭାଙ୍ଗିଥିଲା। ଏହା ପୂର୍ବରୁ ଏହି ଫିଲ୍ମ ପେଡ୍ ପ୍ରିଭ୍ୟୁରେ ୧୦.୬୫ କୋଟି ଆୟ କରିଥିଲା। ଦ୍ୱିତୀୟ ଦିନରେ ଏହି ଫିଲ୍ମ ୯୩.୮ କୋଟି ଟଙ୍କା ଆୟ କରିଥିଲା। ସେହିପରି ତୃତୀୟ ଦିନରେ 'ପୁଷ୍ପା-୨: ଦ ରୁଲ୍' ୧୧୫ କୋଟି ଟଙ୍କାର ଚମତ୍କାର ବ୍ୟବସାୟ କରିଛି। ଅର୍ଥାତ୍ ଏହି ଫିଲ୍ମ ଘରୋଇ ବକ୍ସ ଅଫିସରେ ମୋଟ ୩୮୩.୭ କୋଟି ଟଙ୍କା ଆୟ କରି ସାରିଛି।
'ପୁଷ୍ପା-୨: ଦ ରୁଲ୍' ତେଲୁଗୁ, ତାମିଲ, ହିନ୍ଦୀ, ମାଲାୟାଲମ୍ ଓ କନ୍ନଡ଼ ଭଳି ପାଞ୍ଚଟି ଭାଷାରେ ରିଲିଜ୍ ହୋଇଛି। ତେଲୁଗୁ ଫିଲ୍ମ ହୋଇଥିଲେ ମଧ୍ୟ ସେ ହିନ୍ଦୀରେ ସବୁଠାରୁ ଅଧିକ କଲେକ୍ସନ କରୁଛନ୍ତି। 'ପୁଷ୍ପା-୨: ଦ ରୁଲ୍' ତିନି ଦିନରେ ହିନ୍ଦୀ ଭାଷାରେ ୨୦୦.୭ କୋଟି ଟଙ୍କା ଆୟ କରିଛି। ସେହିପରି ଫିଲ୍ମ ତେଲୁଗୁରେ ୧୫୧.୦୫ କୋଟି, ତାମିଲରେ ୨୧ କୋଟି, ମାଲାୟାଲମରେ ୮.୫ କୋଟି ଏବଂ କନ୍ନଡରେ ୨.୪୫ କୋଟି ଟଙ୍କା ଆୟ କରିଛି।
ସୁକୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ପୁଷ୍ପା-୨: ଦ ରୁଲ୍' ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୫୦୦ କୋଟି ଟଙ୍କା ଅତିକ୍ରମ କରିଛି। ମାତ୍ର ୩ ଦିନରେ ଏହି ଫିଲ୍ମ ୫୫୦ କୋଟିରୁ ଅଧିକ ଆୟ କରିଛି। ଏହା ସହ 'ପୁଷ୍ପା-୨: ଦ ରୁଲ୍' ବିଶ୍ୱବ୍ୟାପୀ ୫୦୦ ନିୟୁତ କ୍ଲବରେ ପ୍ରବେଶ କରିବାରେ ଦ୍ରୁତତମ ଭାରତୀୟ ଚଳଚ୍ଚିତ୍ର ପାଲଟିଛି।
ଅଧିକ ପଢ଼ନ୍ତୁ: ଓଡ଼ିଶା ସମେତ ଦିଲ୍ଲୀ-ବିହାରକୁ ବର୍ଷା ନେଇ ସତର୍କ ସୂଚନା